୫ ରାମ୍ପରେ ଦର୍ଶନ କରିବେ ଭକ୍ତ, ଘଣ୍ଟାକରେ ୮ରୁ ୧୦ ହଜାରଙ୍କୁ ମିଳିବ ସୁଯୋଗ
ଶ୍ରୀମନ୍ଦିରରେ ବଢ଼ୁଥିବା ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁବିଧାରେ ଦର୍ଶନ କରାଇବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି।
ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ବିଭିନ୍ନ ମଡେଲ୍ ଉପସ୍ଥାପନ କରାଯାଇଥିଲା। ଏଥିରୁ ସର୍ବୋତ୍ତମ ମଡେଲ୍ ଚୟନ କରି ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଛି।
ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଭକ୍ତଙ୍କୁ ୫ଟି ଅଲଗା ରାମ୍ପ ମାଧ୍ୟମରେ ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ନିଆଯିବ। ଏହାଦ୍ୱାରା ଏକ ଘଣ୍ଟାରେ ପ୍ରାୟ ୮ରୁ ୧୦ ହଜାର ଭକ୍ତ ଦର୍ଶନ କରିପାରିବେ। ବିଶେଷକରି ଶ୍ରୀମନ୍ଦିରର ୭ ପାହାଚ ନିକଟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରି ଭକ୍ତଙ୍କ ପ୍ରବେଶକୁ ଅଧିକ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତା ପରୀକ୍ଷା ପାଇଁ ଖୁବଶୀଘ୍ର ଏକ ପାଇଲଟ୍ ମଡେଲ୍ ପ୍ରସ୍ତୁତ କରାଯିବ। ଏହାକୁ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅନୁଧ୍ୟାନ କରିବେ। ପାଇଲଟ୍ ମଡେଲ୍ର ଫଳାଫଳ ଓ ବ୍ୟବହାରିକତା ଆଧାରରେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଯୋଜନାକୁ ବାସ୍ତବ ରୂପ ଦିଆଯିବ।
ଭକ୍ତଙ୍କ ସୁବିଧାକୁ ଆହୁରି ବଢ଼ାଇବା ପାଇଁ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଭିଡ଼ ସମୟରେ ଦୀର୍ଘ ସମୟ ଧାଡ଼ିରେ ରହୁଥିବା ଭକ୍ତଙ୍କୁ ଆରାମ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଆଇନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ. କେ. ଦାସ, ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତଙ୍କ ସମେତ ଆଇଆଇଟି ଭୁବନେଶ୍ୱରର ବୈଷୟିକ ପରାମର୍ଶଦାତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିରକୁ ପ୍ରତିଦିନ ବଢ଼ୁଥିବା ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେଲେ ଭକ୍ତଙ୍କ ଦର୍ଶନ ଅଧିକ ସୁଗମ ଓ ଶୃଙ୍ଖଳିତ ହେବ ବୋଲି ଆଶା କରାଯାଉଛି।
