ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଅବସରରେ ଶନିବାର ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଭାରତୀୟ କ୍ରୀଡ଼ାକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶବାସୀଙ୍କୁ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ସହ ଯୋଡ଼ିବା ଉପରେ ଏଥର ଗୁରୁତ୍ୱ ଦିଆଯାଇଛି।
ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ସ୍ଥିତ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ୍ରେ ସ୍ୱତନ୍ତ୍ର କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କାର୍ଯ୍ୟକ୍ରମରେ ଯୋଗଦେଇ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସର ମୁଖ୍ୟ ଆକର୍ଷଣ ଥିଲା ‘ଏକ ଘଣ୍ଟା ଖେଳ କେ ମୈଦାନ ମେଁ’ ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ବିଶେଷକରି ଯୁବପିଢ଼ିଙ୍କୁ ପ୍ରତିଦିନ ଅତି କମ୍ରେ ଏକ ଘଣ୍ଟା କ୍ରୀଡ଼ା କିମ୍ବା ଶାରୀରିକ ବ୍ୟାୟାମ ପାଇଁ ସମୟ ଦେବାକୁ ଉତ୍ସାହିତ କରାଯାଉଛି।
କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଏହି ପଦକ୍ଷେପ ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ମଜବୁତ କରିବା ସହ ଲୋକଙ୍କ ଦୈନନ୍ଦିନ ଜୀବନରେ କ୍ରୀଡ଼ାକୁ ସାମିଲ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଯୁବକଯୁବତୀ ଖେଳ ପଡ଼ିଆକୁ ଆସି ଏକ ଘଣ୍ଟା ଖେଳରେ ସାମିଲ ହେଉଥିବା ସେ କହିଛନ୍ତି।
ଅର୍ଜୁନ ରାମ ମେଘୱାଲ ମଧ୍ୟ ନିୟମିତ କ୍ରୀଡ଼ା ଓ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ। କବାଡ଼ି, ଫୁଟବଲ୍ ଓ ବ୍ୟାଡମିଣ୍ଟନ୍ ଭଳି ଖେଳ ତାଙ୍କ ଜୀବନର ଅଂଶ ରହିଥିବା ସେ କହିବା ସହ ନିୟମିତ ଖେଳ ଶାରୀରିକ ସୁସ୍ଥତା ସହ ମାନସିକ ଚାପ କମାଇବାରେ ସହାୟକ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ କ୍ରିକେଟ୍, ଫୁଟବଲ୍ ଓ ଦୌଡ଼ି ଟଣାଟଣି ଭଳି ବିଭିନ୍ନ କ୍ରୀଡ଼ା ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ଟିମ୍ୱର୍କ, ଅଂଶଗ୍ରହଣ ଓ ସକ୍ରିୟ ଜୀବନଶୈଳୀର ଭାବନା ବଢ଼ାଇବା।
କ୍ରିକେଟ୍ ପ୍ରତିଯୋଗିତାରେ Ministry XI, SAI XI, Media XI ଓ Influencers XI ଭଳି ୪ଟି ଦଳ ଅଂଶଗ୍ରହଣ କରିଥିଲେ। ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱାଧୀନ Ministry XI ଉଦ୍ଘାଟନୀ ମ୍ୟାଚ୍ରେ Media XIକୁ ପରାସ୍ତ କରି ବିଜୟୀ ହୋଇଥିଲା।
ଜାତୀୟ କ୍ରୀଡ଼ା ଦିବସର ଏହି ଆୟୋଜନ ମାଧ୍ୟମରେ ଦେଶରେ କ୍ରୀଡ଼ା, ଫିଟନେସ୍ ଓ ସକ୍ରିୟ ଜୀବନଶୈଳୀର ସଂସ୍କୃତିକୁ ଆହୁରି ବ୍ୟାପକ କରିବା ସହ ମେଜର ଧ୍ୟାନଚାନ୍ଦଙ୍କ ଅମର କ୍ରୀଡ଼ା ଐତିହ୍ୟକୁ ସମ୍ମାନ ଜଣାଯାଇଛି।
