Home Nationalଜଳ ସୁରକ୍ଷାକୁ ଓଡ଼ିଶାର ସର୍ବାଧିକ ଗୁରୁତ୍ୱ!

ଜଳ ସୁରକ୍ଷାକୁ ଓଡ଼ିଶାର ସର୍ବାଧିକ ଗୁରୁତ୍ୱ!

by Akshay Maharana
0 comments

ଦିଲ୍ଲୀର ଜାତୀୟ ଜଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମାଝୀ; ସିଚାଇ, ଜଳ ସଂରକ୍ଷଣ ଓ ‘ପାଣି ପଞ୍ଚାୟତ’ ସୁଦୃଢ଼ ଉପରେ ଜୋର, ଦେଶର ଜଳ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିଭାଗୀୟ ଜଳ ସମ୍ମିଳନୀରେ ଯୋଗଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଜଳ ସୁରକ୍ଷା, ସିଚାଇ, ଜଳ ସଂରକ୍ଷଣ ଓ ଗ୍ରାମାଞ୍ଚଳର ପାନୀୟଜଳ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି।

ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ଏହି ସମ୍ମିଳନୀ ‘ଟିମ୍‌ ଇଣ୍ଡିଆ’ ଭାବନା ଓ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିଛି। ସମୂହ ପ୍ରୟାସ, ନବସୃଜନ ଓ ଜନସହଭାଗିତା ମାଧ୍ୟମରେ ଦେଶର ଜଳ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

ଓଡ଼ିଶାର ଅର୍ଥନୀତିରେ କୃଷିର ଗୁରୁତ୍ୱକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ବିକାଶ ପାଇଁ ଜଳ ସୁରକ୍ଷା ଓ ସିଚାଇ ବ୍ୟବସ୍ଥାକୁ ସୁଦୃଢ଼ କରିବା ସରକାରଙ୍କ ପ୍ରମୁଖ ପ୍ରାଥମିକତା। ଏଥିପାଇଁ ସିଚାଇ ଭିତ୍ତିଭୂମିର ସମ୍ପ୍ରସାରଣ, ଜଳ ସଂରକ୍ଷଣ, ଭୂତଳ ଜଳର ପୁନଃଭରଣ ଓ ‘ପାଣି ପଞ୍ଚାୟତ’କୁ ଅଧିକ ସଶକ୍ତ କରାଯାଉଛି। ଏହାସହ ଜଳ ପରିଚାଳନାରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

‘ଜନ ଭାଗିଦାରୀ’ର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରଣା ନେଇ ଏକ ଜଳ ସୁରକ୍ଷିତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିବଦ୍ଧ ବୋଲି ମାଝୀ କହିଛନ୍ତି।

ସେପ୍ଟେମ୍ବର ୧ ଓ ୨ରେ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। କେନ୍ଦ୍ର-ରାଜ୍ୟ ସହଯୋଗକୁ ଆହୁରି ଗଭୀର କରିବା ଲକ୍ଷ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ମିଳନୀର ସମାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟାନ୍ୱୟନ ଯୋଗ୍ୟ ନିଷ୍ପତ୍ତିଗୁଡ଼ିକର ନିରନ୍ତର ସମୀକ୍ଷା, ‘ଜଳ ଉତ୍ସବ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜନସହଭାଗିତା ବଢ଼ାଇବା, ଜଳ ସଂରକ୍ଷଣକାରୀ ପ୍ରଯୁକ୍ତି ଆପଣାଇବା ଏବଂ ଉତ୍ତମ ଜଳ ତଥ୍ୟ ପରିଚାଳନା ପାଇଁ AIର ବ୍ୟବହାର ଉପରେ ଜୋର ଦେଇଛନ୍ତି।

ଦୀର୍ଘମିଆଦୀ ଜଳ ସୁରକ୍ଷା ଲକ୍ଷ୍ୟରେ ଓଡ଼ିଶାରେ ସିଚାଇ କଭରେଜ୍‌ ବଢ଼ାଇବା ସହ ସମୁଦାୟଭିତ୍ତିକ ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରାଯାଉଛି।

You may also like

Leave a Comment