ଓଡ଼ିଶାକୁ ଦେଶ-ବିଦେଶର ବଡ଼ ନିବେଶକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟରେ ପରିଣତ କରିବା ଉଦ୍ୟମ ମଧ୍ୟରେ ବଡ଼ ନିବେଶ ସମ୍ଭାବନା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ ସମୟରେ ଆଦାନୀ ଗ୍ରୁପ୍ ଓ ଆବୁଧାବିର ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କର୍ପୋରେସନ୍ (IHC) ମଧ୍ୟରେ ଓଡ଼ିଶାରେ ନିବେଶ ନେଇ ଆଲୋଚନା ହୋଇଛି। ଉଭୟ ସଂସ୍ଥା ପ୍ରାୟ ୧୪ଟି ପ୍ରକଳ୍ପରେ ଆଗ୍ରହ ଦେଖାଇଥିବା ବେଳେ ଏଥିପାଇଁ ମୋଟ ୨ ଲକ୍ଷ ୧୦ ହଜାର ୫୦୦ କୋଟି ଟଙ୍କା ନିବେଶର ଯୋଜନା ରହିଛି। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ପ୍ରାୟ ୮.୭ ଲକ୍ଷ ନିଯୁକ୍ତି ସୁଯୋଗ ଉତ୍ପନ୍ନ ହୋଇପାରେ।
ଆଲୋଚନାରେ ଧାତୁ ଶିଳ୍ପ, ବିରଳ ମୃତ୍ତିକା ସମ୍ପଦ, କ୍ରିଟିକାଲ୍ ମିନେରାଲ୍, ବନ୍ଦର ଭିତ୍ତିକ ଏସ୍ଇଜେଡ୍ ଏବଂ କୋଇଲାରୁ ରସାୟନ ଉତ୍ପାଦନ ଭଳି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଥିଲା। ଆଦାନୀ ଗ୍ରୁପ୍ ପକ୍ଷରୁ କରନ ଆଦାନୀ ଓ ସାଗର ଆଦାନୀଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ IHC ପକ୍ଷରୁ ଏମ୍ଡି ଓ ସିଇଓ ସଇଦ ବସର ସୁଏନଙ୍କ ସହ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆବୁଧାବିରେ IHC ମୁଖ୍ୟାଳୟ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଥିବା ନିବେଶ ସୁଯୋଗ ବିଷୟରେ କମ୍ପାନିକୁ ଅବଗତ କରାଇଥିଲେ। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ସମ୍ଭାବନା ଅନୁଧ୍ୟାନ ପାଇଁ IHC ଓ ଏହାର ସହଯୋଗୀ ସଂସ୍ଥାଗୁଡ଼ିକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ ମଧ୍ୟ ଦିଆଯାଇଛି।
ଏହା ସହ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ୍ ପ୍ରଫେସନାଲ୍ ଗ୍ରୁପ୍ (IBPG) ସହ ମଧ୍ୟ ବ୍ୟବସାୟିକ ସୁଯୋଗ ନେଇ ଆଲୋଚନା ହୋଇଛି। ଓଡ଼ିଶାର ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦକୁ ୟୁଏଇ ବଜାରରେ ଅଧିକ ସୁଯୋଗ ଦେବା ଏବଂ ୟୁଏଇର ପ୍ରମୁଖ ବ୍ରାଣ୍ଡ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ବିକାଶ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଓଡ଼ିଶାର ଦକ୍ଷ ମାନବ ସମ୍ବଳକୁ ବିଦେଶୀ ବ୍ୟବସାୟିକ ସୁଯୋଗ ସହ ଯୋଡ଼ିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ରୁଚି, ଫାର୍ମ ବି, ବି ୱାନ୍ ଓ ଓରି କ୍ଲିନ୍ ଭଳି ଓଡ଼ିଶାର କିଛି କମ୍ପାନି ମଧ୍ୟ ସାମିଲ ହୋଇଥିଲେ। IBPG ସଭାପତି ରାଜୀବ ଶାହ ମଧ୍ୟ ଆଲୋଚନାରେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ମାଧ୍ୟମରେ ଓଡ଼ିଶାର ଶିଳ୍ପ, ଖଣିଜ, ଖାଦ୍ୟ ପ୍ରକ୍ରିୟାକରଣ ଓ ମାନବ ସମ୍ବଳ କ୍ଷେତ୍ରକୁ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେଉଥିବା ସଙ୍କେତ ମିଳିଛି।
