Home Featuredୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା, ଓଡ଼ିଶାରେ ନିବେଶ ପାଇଁ ଦେଲେ ଆମନ୍ତ୍ରଣ

ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା, ଓଡ଼ିଶାରେ ନିବେଶ ପାଇଁ ଦେଲେ ଆମନ୍ତ୍ରଣ

by Sunita Jena
0 comments

ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବଢ଼ାଇବା ଏବଂ ୟୁଏଇ ସହ ରାଜ୍ୟର ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ୟୁଏଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇ କ୍ୟାବିନେଟ୍‌ର ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।ଏହି ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବ୍ୟବସାୟ, ଅର୍ଥନୀତି ଓ ପୁଞ୍ଜିନିବେଶ ସମ୍ପର୍କକୁ ଆହୁରି ବ୍ୟାପକ କରିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଶେଷକରି ଓଡ଼ିଶାରେ ୟୁଏଇର ନିବେଶକମାନଙ୍କ ପାଇଁ ଥିବା ବିଭିନ୍ନ ସୁଯୋଗ ଏବଂ ରାଜ୍ୟରେ ନୂଆ ପ୍ରକଳ୍ପ ଆଣିବାର ସମ୍ଭାବନା ଉପରେ ଗୁରୁତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ମାଝୀ ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନା ବିଷୟରେ ୟୁଏଇ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ରାଜ୍ୟର ଅନୁକୂଳ ବ୍ୟବସାୟିକ ପରିବେଶ, ଶକ୍ତିଶାଳୀ ଶିଳ୍ପ ଭିତ୍ତିଭୂମି, ପ୍ରାକୃତିକ ସମ୍ପଦ ଏବଂ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ଉପଲବ୍ଧ ନିବେଶ ସୁଯୋଗ ସମ୍ପର୍କରେ ସେ ଆଲୋକପାତ କରିଛନ୍ତି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ନିବେଶ ପାଇଁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଏବଂ ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଆଶ୍ୱସ୍ତ କରିଛନ୍ତି। ୟୁଏଇର ପୁଞ୍ଜିନିବେଶକମାନେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ନୂଆ ସୁଯୋଗ ଅନ୍ୱେଷଣ କରିବା ସହ ନିବେଶ କରନ୍ତୁ ବୋଲି ସେ ଆମନ୍ତ୍ରଣ ଜଣାଇଛନ୍ତି।

ଓଡ଼ିଶାରେ ଶିଳ୍ପ, ପର୍ଯ୍ୟଟନ, ବାଣିଜ୍ୟ ଓ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରରେ ନିବେଶର ବ୍ୟାପକ ସୁଯୋଗ ରହିଛି। ୟୁଏଇ ଭଳି ଏକ ପ୍ରମୁଖ ବିଶ୍ୱ ଅର୍ଥନୈତିକ କେନ୍ଦ୍ର ସହ ରାଜ୍ୟର ସମ୍ପର୍କ ମଜବୁତ ହେଲେ ଓଡ଼ିଶାକୁ ନୂଆ ପୁଞ୍ଜି, ପ୍ରଯୁକ୍ତି ଓ ବ୍ୟବସାୟିକ ସୁଯୋଗ ମିଳିବାର ରାସ୍ତା ଆହୁରି ପ୍ରଶସ୍ତ ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକକୁ ଓଡ଼ିଶାର ବିଶ୍ୱସ୍ତରୀୟ ନିବେଶ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦେଖାଯାଉଛି। ୟୁଏଇର ନିବେଶକ ଓ ବ୍ୟବସାୟିକ ପ୍ରତିଷ୍ଠାନ ସହ ଅଧିକ ସମ୍ପର୍କ ସ୍ଥାପନ ହେଲେ ରାଜ୍ୟରେ ନୂଆ ଶିଳ୍ପ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଶାର ଅର୍ଥନୈତିକ ବିକାଶକୁ ନୂଆ ଗତି ମିଳିପାରେ।

ୟୁଏଇ ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏହି ସାକ୍ଷାତକାର ଆଗାମୀ ଦିନରେ ଓଡ଼ିଶା-ୟୁଏଇ ଅର୍ଥନୈତିକ ଓ ନିବେଶ ସହଭାଗିତାକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

You may also like

Leave a Comment