Home Odishaସମ୍ବଲପୁରରେ ପୋଲିସ ଏନ୍‌କାଉଣ୍ଟର, ଗୁଳିମାଡ଼ରେ ଅଭିଯୁକ୍ତ ଇରଫାନ ଆହତ

ସମ୍ବଲପୁରରେ ପୋଲିସ ଏନ୍‌କାଉଣ୍ଟର, ଗୁଳିମାଡ଼ରେ ଅଭିଯୁକ୍ତ ଇରଫାନ ଆହତ

by Akshay Maharana
0 comments

ପୋଲିସ ଉପରେ ୩ ରାଉଣ୍ଡ ଗୁଳି ଚଳାଇଥିବା ଦାବି, ଘଟଣାସ୍ଥଳରୁ ପିସ୍ତଲ ଓ ଗୁଳିଗୋଳା ଜବତ, ସମ୍ବଲପୁରରେ ରବିବାର ଭୋର ସମୟରେ ପୋଲିସ ଓ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସର ପ୍ରତିଆକ୍ରମଣରେ ମହମ୍ମଦ ଇରଫାନ ନାମକ ଜଣେ ଅଭିଯୁକ୍ତ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଛି। ଇରଫାନଙ୍କ ବିରୋଧରେ ୨୪ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ ଦାବି କରିଛି।

ଘଟଣା ସଦର ଥାନା ଅଞ୍ଚଳର କେନାଲ ରୋଡ୍‌ ନିକଟ ସୁଦୁଙ୍ଗା ଜଙ୍ଗଲ ପାଖରେ ଭୋର ପ୍ରାୟ ୫ଟା ୪୫ ମିନିଟ୍‌ରେ ଘଟିଥିବା ଜଣାପଡ଼ିଛି। ଅତିରିକ୍ତ ଏସ୍‌ପି ଅଜୟ ମିଶ୍ରଙ୍କ ସୂଚନା ଅନୁସାରେ, ସଦର ଥାନା ପୋଲିସ ଏକ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିଥିଲା।

ଏହି ସମୟରେ ସୁନାପାଲି ଅଞ୍ଚଳର ମହମ୍ମଦ ଇରଫାନ ଦୁଇ ଜଣ ସହଯୋଗୀଙ୍କ ସହ ଏକ କଳା ରଙ୍ଗର ବଜାଜ ପଲ୍ସର ବାଇକ୍‌ରେ ଯାଉଥିବା ପୋଲିସ କହିଛି। ପୋଲିସ ଟିମ୍ ତିନିଜଣଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଦୁଇଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବାବେଳେ ଇରଫାନ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ।

ପୋଲିସର ଅଭିଯୋଗ ଅନୁସାରେ, ଫେରାର ହେବା ସମୟରେ ଇରଫାନ ପୋଲିସ ଟିମ୍‌କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ସେ ମୋଟ ୩ ରାଉଣ୍ଡ ଗୁଳି ଚଳାଇଥିବାବେଳେ ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ୨ ରାଉଣ୍ଡ ପ୍ରତିଗୁଳି ଚଳାଯାଇଥିବା କୁହାଯାଇଛି। ଏହି ସମୟରେ ଗୋଟିଏ ଗୁଳି ଇରଫାନଙ୍କ ବାମ ଗୋଡ଼ରେ ବାଜିଥିଲା।

ଆହତ ଅବସ୍ଥାରେ ଇରଫାନଙ୍କୁ ତୁରନ୍ତ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚକୁ ଚିକିତ୍ସା ପାଇଁ ନିଆଯାଇଛି।

ଏନ୍‌କାଉଣ୍ଟର ପରେ ପୋଲିସ ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ଗୁଳିଗୋଳା ଓ ୩ଟି ଖାଲି କାର୍ତୁସ ଜବତ କରିଥିବା କହିଛି। ଏହାସହ ଘଟଣା ସମୟରେ ବ୍ୟବହୃତ କଳା ରଙ୍ଗର ପଲ୍ସର ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ବାଇକ୍‌ର ନମ୍ବର OD-15-AB-3674 ବୋଲି ସୂଚନା ମିଳିଛି।

ପୋଲିସ ରେକର୍ଡ ଅନୁସାରେ ଇରଫାନଙ୍କ ନାମରେ ୨୪ରୁ ଅଧିକ ଅପରାଧିକ ମାମଲା ରହିଛି। ଏଥିରେ ଡକାୟତି, ଲୁଟ୍, ଆଲୁମିନିୟମ୍ ତାର ଚୋରି, ସିନ୍ଧି ଚୋରି ଓ ନିଶାଦ୍ରବ୍ୟ ସମ୍ପର୍କିତ ମାମଲା ଥିବା କୁହାଯାଉଛି।

ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଜବତ ଅସ୍ତ୍ରର ଉତ୍ସ, ଇରଫାନଙ୍କ ସହଯୋଗୀଙ୍କ ଭୂମିକା ଏବଂ ତାଙ୍କ ସହ ଜଡ଼ିତ ଅନ୍ୟ ଅପରାଧିକ ଘଟଣା ବିଷୟରେ ଅଧିକ ଖୋଳତାଡ଼ କରାଯାଉଛି।

You may also like

Leave a Comment