Home Featuredମହାରାଷ୍ଟ୍ର ଯାଇଥାନ୍ତେ ୫ ଓରାଂଉଟାନ୍‌: ହୋଟେଲ୍ ମାଲିକ ବାପପୁଅଙ୍କ ଆକାଉଣ୍ଟ ଓ କଲ୍ ରେକର୍ଡ ଯାଞ୍ଚ

ମହାରାଷ୍ଟ୍ର ଯାଇଥାନ୍ତେ ୫ ଓରାଂଉଟାନ୍‌: ହୋଟେଲ୍ ମାଲିକ ବାପପୁଅଙ୍କ ଆକାଉଣ୍ଟ ଓ କଲ୍ ରେକର୍ଡ ଯାଞ୍ଚ

by Sunita Jena
0 comments

ଭୋଗରାଇ ବ୍ଲକ୍‌ର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍‌ ଶାବକ ମିଳିବା ଘଟଣାର ତଦନ୍ତ ଏବେ ଆହୁରି ଗଭୀର ହୋଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ଦିଗରୁ ଘଟଣାର ଖୋଳତାଡ଼ କରୁଛି। ପ୍ରାଥମିକ ତଦନ୍ତରେ ଦୀଘାର ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅଙ୍କ ଭୂମିକା ଉପରେ ତଦନ୍ତକାରୀଙ୍କ ନଜର ରହିଛି। ଏସ୍‌ଟିଏଫ୍‌ର ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଓରାଂଉଟାନ୍‌ ଶାବକଗୁଡ଼ିକୁ ଇଣ୍ଡୋନେସିଆ କିମ୍ବା ମାଲେସିଆରୁ ମ୍ୟାମାର ଦେଇ ସମୁଦ୍ରପଥରେ ଭାରତକୁ ଆଣାଯାଇଥିବା ସନ୍ଦେହ କରାଯାଉଛି। ପରବର୍ତ୍ତୀ ସମୟରେ ମିଜୋରାମ, ଆସାମ ଓ ପଶ୍ଚିମବଙ୍ଗ ଦେଇ ସେମାନଙ୍କୁ ଦୀଘାର ହେଲିପ୍ୟାଡ୍‌ ନିକଟରେ ଥିବା ଉକ୍ତ ହୋଟେଲ୍‌କୁ ନିଆଯାଇଥିବା ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି।

ସେଠାରୁ ଓରାଂଉଟାନ୍‌ଗୁଡ଼ିକୁ ଆଉ ଏକ ଗାଡ଼ିରେ ମହାରାଷ୍ଟ୍ର ପଠାଇବା ଯୋଜନା ଥିବା ତଦନ୍ତରୁ ସାମ୍ନାକୁ ଆସିଛି। କିନ୍ତୁ ନିର୍ଦ୍ଦିଷ୍ଟ ଗ୍ରାହକ ନ ଆସିବା ଓ ତାଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ଚୋରାଚାଲାଣକାରୀମାନେ ଶାବକଗୁଡ଼ିକୁ ହୋଟେଲ୍‌ରେ ଛାଡ଼ି ଚାଲିଯାଇଥିବା ଅନୁମାନ କରାଯାଉଛି। ପରେ ସେମାନଙ୍କୁ ରଣକୋଠା ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଦିଗକୁ ମଧ୍ୟ ତଦନ୍ତ ଚାଲିଛି। ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କର ବନ୍ୟଜନ୍ତୁ ଚୋରାଚାଲାଣ ସହ ପୂର୍ବରୁ କୌଣସି ଯୋଗାଯୋଗ ଥିଲା କି, ନା ଏହି ହୋଟେଲ୍‌କୁ କେବଳ ଶେଷ ପର୍ଯ୍ୟାୟରେ ଏକ ଟ୍ରାନ୍‌ଜିଟ୍‌ ସ୍ଥଳ ଭାବେ ବ୍ୟବହାର କରାଯାଇଥିଲା—ତାହା ଏବେ ଏସ୍‌ଟିଏଫ୍‌ର ତଦନ୍ତର ମୁଖ୍ୟ ପ୍ରଶ୍ନ। ହୋଟେଲ୍‌ର କର୍ମଚାରୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ଏହାସହ ବନ୍ୟଜନ୍ତୁ ବିକ୍ରି କାରବାରରୁ ଅର୍ଥ କେଉଁ ବ୍ୟକ୍ତି କିମ୍ବା କେଉଁ ଆକାଉଣ୍ଟକୁ ଯାଇଥିଲା, ତାହା ଜାଣିବା ପାଇଁ ଆର୍ଥିକ କାରବାରର ଯାଞ୍ଚ ଚାଲିଛି। ଏଥିପାଇଁ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ ବ୍ୟାଙ୍କ ଆକାଉଣ୍ଟ ସହ କଲ୍‌ ଡିଟେଲ୍‌ ରେକର୍ଡ (ସିଡିଆର୍‌) ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି। ଦୁହିଁଙ୍କୁ ଗିରଫ କରିବା ମଧ୍ୟ ଏସ୍‌ଟିଏଫ୍‌ର ତଦନ୍ତର ଏକ ପ୍ରମୁଖ ଦିଗ ବୋଲି ସୂଚନା ମିଳିଛି। ଓରାଂଉଟାନ୍‌ଗୁଡ଼ିକୁ ସମୁଦ୍ରପଥରେ ଭାରତ ଅଣାଯାଇଥିବା ସନ୍ଦେହ ଥିବାରୁ ଏହି ଦିଗରେ ଭାରତୀୟ ତଟରକ୍ଷୀ ବାହିନୀର ସହାୟତା ନେବା ନେଇ ମଧ୍ୟ ବିଚାର କରାଯାଉଛି। ତଦନ୍ତକାରୀଙ୍କ ପ୍ରାଥମିକ ଆକଳନରେ ଏହା ଏକ ଆନ୍ତଃରାଜ୍ୟ ତଥା ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରା କାରବାର ସହ ଜଡ଼ିତ ହୋଇପାରେ। ମହାରାଷ୍ଟ୍ର, ଆସାମ, ପଶ୍ଚିମବଙ୍ଗ ଓ ମିଜୋରାମର କିଛି ବ୍ୟକ୍ତି କିମ୍ବା ଗୋଷ୍ଠୀର ସମ୍ଭାବ୍ୟ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ବେଳେ ସମ୍ପୃକ୍ତ ରାଜ୍ୟର ପୁଲିସ ସହ ଯୋଗାଯୋଗ କରାଯାଉଛି।

ଅନ୍ୟପକ୍ଷରେ, ଦୀଘାର ହେଲିପ୍ୟାଡ୍‌ ନିକଟ ହୋଟେଲ୍‌ ପରିସରରେ ପ୍ରାୟ ୩୦ ଘଣ୍ଟା ଧରି ଏକ ଗାଡ଼ି ଭିତରେ ୫ଟି ଓରାଂଉଟାନ୍‌ ରହିଥିବା ଅଭିଯୋଗ ମଧ୍ୟ ତଦନ୍ତର ଅନ୍ୟ ଏକ ଦିଗ ହୋଇଛି। ଏତେ ସମୟ ଧରି ଘଟଣାଟି ସ୍ଥାନୀୟ ପୁଲିସର ନଜରକୁ କିପରି ଆସିଲା ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଫଳରେ ଦୀଘା ପୁଲିସର ଭୂମିକାକୁ ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ତଥ୍ୟ ସଂଗ୍ରହ କରୁଛି।

You may also like

Leave a Comment