Home Odishaଓଡ଼ିଶାର ସେମିକଣ୍ଡକ୍ଟର ମିଶନକୁ ବଡ଼ ଗତି

ଓଡ଼ିଶାର ସେମିକଣ୍ଡକ୍ଟର ମିଶନକୁ ବଡ଼ ଗତି

by Lokanath Panigrahi
0 comments

ନରାଜରେ ୮୭୦ ଏକର ଜମିରେ ହେବ ‘ଓଡ଼ିଶା ସିଲିକନ୍ ଭାଲି’, ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ ସେପ୍ଟେମ୍ବର: ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି। ନୂଆଦିଲ୍ଲୀରେ ଚାଲିଥିବା ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି। କଟକ ନରାଜରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭାଲି’ ପ୍ରତିଷ୍ଠା କରାଯିବ। ଏହାକୁ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା ଲକ୍ଷ୍ୟ ରହିଛି।

ସେମିକନ୍ ଇଣ୍ଡିଆ ୨୦୨୬ ଅବସରରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବାବେଳେ ଏଥିରୁ ପ୍ରାୟ ୬,୧୦୦ ନୂତନ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱାଫର ଉତ୍ପାଦନ ପାଇଁ ‘କ୍ୱାଡ୍‌କ୍ୱାଣ୍ଟମ୍’ ସହ ରାଜ୍ୟ ସରକାରଙ୍କ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି।

ନରାଜର ଭୌଗୋଳିକ ଅବସ୍ଥିତିକୁ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଅନୁକୂଳ ବୋଲି ଦର୍ଶାଯାଇଛି। ଭୁବନେଶ୍ୱର-କଟକ ସହରାଞ୍ଚଳ ସହ ଯୋଗାଯୋଗ, ମହାନଦୀ ନିକଟରେ ଅବସ୍ଥିତି ଏବଂ ପାରାଦୀପ ଓ ଧାମରା ବନ୍ଦର ସହ ସଂଯୋଗ ଯୋଗୁଁ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇପାରିବ।

ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଜାପାନ, ସ୍ୱିଡେନ୍ ଓ ତାଇୱାନର ପ୍ରତିନିଧିଙ୍କ ସହ ଆଲୋଚନା କରିଥିବାବେଳେ ଲ୍ୟାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମେଟେରିଆଲ୍ସ, SiC-Sem, ଥ୍ରୀ-ଡି ଗ୍ଲାସ୍ ସୋଲୁସନ୍ ଓ ସାଇଏଣ୍ଟ୍ ଭଳି କମ୍ପାନିର ପ୍ରତିନିଧିଙ୍କ ସହ ମଧ୍ୟ ବୈଠକ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରା ଏବେ ପରିକଳ୍ପନାରୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦିଗକୁ ଆଗକୁ ବଢ଼ୁଛି। ଉତ୍ପାଦନ, ନବସୃଜନ ଓ ପ୍ରଯୁକ୍ତି ବିକାଶ ପାଇଁ ରାଜ୍ୟରେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ଗଠନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ଓଡ଼ିଶା ପାଭିଲିୟନରେ ପ୍ରଦର୍ଶିତ ‘ସାଣ୍ଡ ଟୁ ସିଲିକନ୍’ ଥିମ୍ ମାଧ୍ୟମରେ ଖଣି ଅର୍ଥନୀତିରୁ ଜ୍ଞାନ ଓ ପ୍ରଯୁକ୍ତିଭିତ୍ତିକ ଅର୍ଥନୀତି ଆଡ଼କୁ ରାଜ୍ୟର ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି।

ସେମିକଣ୍ଡକ୍ଟର ନୀତିର ତୃତୀୟ ସଂଶୋଧନ ମାଧ୍ୟମରେ ISM-ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ଅତିରିକ୍ତ ୨୫ ପ୍ରତିଶତ ଆର୍ଥିକ ସହାୟତା ଦେବା ବ୍ୟବସ୍ଥା କରାଯାଇଛି। ଉପକରଣ, ସେମିକଣ୍ଡକ୍ଟର-ଗ୍ରେଡ୍ ଗ୍ୟାସ୍, କଞ୍ଚାମାଲ, ଯୋଗାଣ ଶୃଙ୍ଖଳା, ଦକ୍ଷତା ବିକାଶ, ଇଣ୍ଟର୍ନସିପ୍ ଏବଂ R&D କ୍ଷେତ୍ରକୁ ମଧ୍ୟ ସହାୟତା ଦିଆଯାଉଛି।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ସେମିକଣ୍ଡକ୍ଟର ଶିଳ୍ପକୁ କେନ୍ଦ୍ର କରି ଉପକରଣ, ସାମଗ୍ରୀ, ଗ୍ୟାସ୍, ଯୋଗାଣ ଶୃଙ୍ଖଳା ଓ ଦକ୍ଷ ମାନବ ସମ୍ବଳକୁ ନେଇ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ଗଠନ କରାଯାଉଛି। ଏହି ପଦକ୍ଷେପ ଓଡ଼ିଶାକୁ ଦେଶର ଉଦୀୟମାନ ସେମିକଣ୍ଡକ୍ଟର କେନ୍ଦ୍ର ଭାବେ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

You may also like

Leave a Comment