ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ନଜର; ନବରଙ୍ଗପୁରକୁ ରେଡ୍, ୬ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ
ଭୁବନେଶ୍ୱର, ସେପ୍ଟେମ୍ବର ୨୪: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ ଉପକୂଳ ଅତିକ୍ରମ କରି ସ୍ଥଳଭାଗ ଆଡ଼କୁ ଗତି କରିଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ବ୍ୟାପକ କ୍ଷୟକ୍ଷତି କିମ୍ବା ବଡ଼ ଧରଣର ଜୀବନହାନିର ରିପୋର୍ଟ ମିଳିନାହିଁ। ତେବେ କେତେକ ଜିଲ୍ଲାରେ ନଦୀ ଜଳସ୍ତର ବୃଦ୍ଧି, ରାସ୍ତାରେ ପାଣି ଜମିବା ଓ ଗଛ ଉପୁଡ଼ିବା ଭଳି ସ୍ଥାନୀୟ ସମସ୍ୟା ଦେଖାଦେଇଛି।
ସୂଚନା ଅନୁସାରେ, ସେପ୍ଟେମ୍ବର ୨୩ ରାତି ପ୍ରାୟ ୧୧ଟାରୁ ୨୪ ତାରିଖ ରାତି ୧ଟା ମଧ୍ୟରେ ଗଭୀର ଅବପାତ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉପକୂଳ ଅତିକ୍ରମ କରିଥିଲା। ସେତେବେଳେ ସିଷ୍ଟମ୍ର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଥିବାବେଳେ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା।
ଧୀରେ ଧୀରେ ଦୁର୍ବଳ ହେବ ଅବପାତ
ଉପକୂଳ ଅତିକ୍ରମ ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଥିଲା। ୨୪ ସେପ୍ଟେମ୍ବର ସକାଳ ୮ଟା ୩୦ ସୁଦ୍ଧା ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଥିଲା।
ପାଣିପାଗ ଆକଳନ ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ଏହା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ମଧ୍ୟ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି।
ସରକାରଙ୍କ ନଜରରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଗଭୀର ଅବପାତର ଗତିବିଧି ଓ ଏହାର ପ୍ରଭାବ ଉପରେ ସରକାର ନିରନ୍ତର ନଜର ରଖିଛନ୍ତି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ ଓ ପ୍ରତିକ୍ରିୟାଶୀଳ ଟିମ୍ଗୁଡ଼ିକୁ ସତର୍କ ରଖାଯାଇଛି।
ସମ୍ବେଦନଶୀଳ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ, ନଦୀ ଓ ଜଳସ୍ତର ନିରୀକ୍ଷଣ, ଯାତାୟାତ ପରିଚାଳନା ଏବଂ ଆବଶ୍ୟକ ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି।
କେଉଁ ଜିଲ୍ଲାରେ କ’ଣ ସ୍ଥିତି?
କୋରାପୁଟ: ସିମିଳିଗୁଡ଼ାରେ ୧୦୦ ମି.ମି.ରୁ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଜିଲ୍ଲାରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନାହିଁ।
ମାଲକାନଗିରି: କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିଥିବାରୁ କାଙ୍ଗୁରକୋଣ୍ଡା, ଏମ୍ଭି-୯୦ ଓ କନ୍ୟାଶ୍ରମ ନିକଟରେ ତିନୋଟି ସେତୁ ଦେଇ ଯାତାୟାତକୁ ବିକଳ୍ପ ମାର୍ଗରେ ଚଳାଚଳ କରାଯାଉଛି।
କଳାହାଣ୍ଡି: ବିଭିନ୍ନ ସ୍ଥାନରେ ଉପୁଡ଼ିଥିବା ଗଛକୁ ତୁରନ୍ତ ହଟାଯାଇଛି। ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି।
ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ୍ର ଏକ ସେତୁ ଉପରେ ପାଣି ପ୍ରବାହିତ ହେବାରୁ ଯାତାୟାତକୁ ବିକଳ୍ପ ରାସ୍ତାରେ ପରିଚାଳନା କରାଯାଇଛି। ଗଛ ପଡ଼ି ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଗଜପତି: ଜିଲ୍ଲାରେ ମଧ୍ୟମ ବର୍ଷା ହୋଇଛି। ହାରାହାରି ବର୍ଷା ପ୍ରାୟ ୭୦ ମି.ମି. ରହିଛି। ବଂଶଧାରା ନଦୀର ଜଳସ୍ତର ବଢ଼ିଥିବାରୁ ନଦୀତଟ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି ଏବଂ ଓଡ୍ରାଫ୍ ଟିମ୍ ନିୟୋଜିତ ରହିଛି।
ଗଞ୍ଜାମ: ବଂଶଧାରା ଓ ଋଷିକୁଲ୍ୟା ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ରାତ୍ରି ପାଟ୍ରୋଲିଂ ସହ ବ୍ୟାରେଜ୍ ଗେଟ୍ଗୁଡ଼ିକର ପରିଚାଳନା ଜାରି ରହିଛି।
ରାୟଗଡ଼ା: ବଂଶଧାରା ନଦୀ ନିକଟ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ହୋଇଛି। ବର୍ତ୍ତମାନ ସୁଦ୍ଧା ବଡ଼ କ୍ଷୟକ୍ଷତିର ରିପୋର୍ଟ ନାହିଁ।
୨୪ ଘଣ୍ଟାରେ କେଉଁଠି କେତେ ବର୍ଷା?
୨୪ ସେପ୍ଟେମ୍ବରରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସେଥିମଧ୍ୟରେ—
- କୋରାପୁଟ ସିମିଳିଗୁଡ଼ା – ୧୯୩.୯ ମି.ମି.
- ମାଲକାନଗିରି ଚିତ୍ରକୋଣ୍ଡା – ୧୬୮.୮ ମି.ମି.
- ଖୋର୍ଦ୍ଧା ଟାଙ୍ଗୀ – ୧୪୨.୦ ମି.ମି.
- କଟକ ବଡ଼ମ୍ବା – ୧୩୪.୦ ମି.ମି.
- କନ୍ଧମାଳ ଜି. ଉଦୟଗିରି – ୧୨୫.୪ ମି.ମି.
- ଗଜପତି ପାରଳାଖେମୁଣ୍ଡି – ୧୨୧.୪ ମି.ମି.
- ଗଜପତି ଗୋଷାଣୀ – ୧୨୦.୦ ମି.ମି.
ଜାରି ରହିଛି ପାଣିପାଗ ସତର୍କତା
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଥିଲେ ମଧ୍ୟ ବର୍ଷା ପ୍ରଭାବକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲା ପାଇଁ ସତର୍କତା ଜାରି ରହିଛି।
ନବରଙ୍ଗପୁରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ରହିଛି।
ପ୍ରଶାସନ ପକ୍ଷରୁ ବର୍ଷା ପରିମାଣ, ନଦୀ ଜଳସ୍ତର ଓ ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରହିଛି। ଆବଶ୍ୟକତା ଅନୁଯାୟୀ ଗଛ ସଫା କରିବା, ଯାତାୟାତକୁ ବିକଳ୍ପ ମାର୍ଗରେ ନେବା ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଭଳି ପଦକ୍ଷେପ ନିଆଯାଉଛି।
ସାମଗ୍ରିକ ଭାବେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ, ଅବପାତ ଦୁର୍ବଳ ହେବା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରଶାସନିକ ନିରୀକ୍ଷଣ ଓ ମାଟିସ୍ତରୀୟ ପ୍ରସ୍ତୁତି ଜାରି ରହିବ।
