Home Featuredକିଏ ହେବେ ଓଡ଼ିଶାର ନୂଆ ପୁଲିସ ଡିଜି? ଆଜି ସୁପ୍ରିମକୋର୍ଟରେ ଶୁଣାଣି

କିଏ ହେବେ ଓଡ଼ିଶାର ନୂଆ ପୁଲିସ ଡିଜି? ଆଜି ସୁପ୍ରିମକୋର୍ଟରେ ଶୁଣାଣି

by Lokanath Panigrahi
0 comments

ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ମାମଲାରେ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ଡିଜି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ଆଇନଗତ ବିବାଦ ମଧ୍ୟରେ ଆଜିର ଶୁଣାଣି ଉପରେ ନଜର ରହିଛି।

ଏହି ମାମଲାରେ ଜେଲ୍‌ ଡିଜି ସୁଶାନ୍ତ କୁମାର ନାଥଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ଦାଖଲ କରାଯାଇଛି। ତାଙ୍କୁ ଡିଜି ଚୟନ ପ୍ରକ୍ରିୟାରୁ ବାଦ୍‌ ଦେବାରେ ରାଜ୍ୟ ସରକାର ପକ୍ଷପାତ କରିଥିବା ତାଙ୍କ ସତ୍ୟପାଠରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ଉପରେ ରାଜ୍ୟ ସରକାର ଆଜି ନିଜ ପକ୍ଷ ରଖିପାରନ୍ତି।

ଡିଜି ଚୟନକୁ ନେଇ ଗତ କିଛି ଶୁଣାଣିରେ ମଧ୍ୟ ସୁଶାନ୍ତ କୁମାର ନାଥଙ୍କ ମାମଲା ଚର୍ଚ୍ଚାରେ ରହିଛି। ସିବିଆଇ ତାଙ୍କୁ ଏକ ମାମଲାରେ ପଚରାଉଚରା କରିବାକୁ ଚାହିଁଥିବା ଆଧାରରେ ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍‌ ପ୍ରସଙ୍ଗ ଉଠିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ଅନ୍ୟପଟେ, ଡିଜି ଚୟନ ପାଇଁ ୟୁପିଏସ୍‌ସିକୁ ପଠାଯାଇଥିବା ଅଧିକାରୀଙ୍କ ତାଲିକା ଓ ଯୋଗ୍ୟତା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ‘ପ୍ରକାଶ ସିଂହ’ ମାମଲାରେ ନିର୍ଦ୍ଧାରିତ ନିୟମ ଅନୁସାରେ ଚୟନ ପ୍ରକ୍ରିୟା ହୋଇଛି କି ନାହିଁ, ତାହା ମଧ୍ୟ ଶୁଣାଣିରେ ଗୁରୁତ୍ୱ ପାଇଛି।

ଡିଜି ଚୟନ ମାମଲାର ଶୁଣାଣି ପୂର୍ବରୁ ଏକାଧିକ ଥର ଘୁଞ୍ଚିଥିବାରୁ ଆଜିର ଶୁଣାଣିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ତେବେ ଆଜି ହିଁ ଚୂଡ଼ାନ୍ତ ରାୟ ଆସିବ କି ନାହିଁ, ତାହା କୋର୍ଟର କାର୍ଯ୍ୟାନୁଷ୍ଠାନ ପରେ ସ୍ପଷ୍ଟ ହେବ।

You may also like

Leave a Comment