Home Featuredବନ୍ୟା କମିଲା, ସାମ୍ନାକୁ ଆସୁଛି କ୍ଷୟକ୍ଷତି; ନବରଙ୍ଗପୁରରେ ଆରମ୍ଭ ହେଲା ଆକଳନ

ବନ୍ୟା କମିଲା, ସାମ୍ନାକୁ ଆସୁଛି କ୍ଷୟକ୍ଷତି; ନବରଙ୍ଗପୁରରେ ଆରମ୍ଭ ହେଲା ଆକଳନ

by Lokanath Panigrahi
0 comments

ନବରଙ୍ଗପୁର: ଲଗାଣ ବର୍ଷା ଓ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତେବେ ପାଣି କମିବା ପରେ ଏବେ ସାମ୍ନାକୁ ଆସିବାରେ ଲାଗିଛି ବନ୍ୟାର କ୍ଷୟକ୍ଷତିର ଚିତ୍ର। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ।

ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ସୂଚନା ଅନୁସାରେ, ୨୪, ୨୫ ଓ ୨୬ ତାରିଖରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ ପରିମାଣର ବର୍ଷାଜଳ ପ୍ରବାହିତ ହୋଇଥିଲା। ଏହାପରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯିବାରୁ ତଳିଆ ଅଞ୍ଚଳରେ ବନ୍ୟାର ପ୍ରଭାବ ଆହୁରି ବଢ଼ିଥିଲା।

ଜିଲ୍ଲାର ପ୍ରାୟ ୧୦ଟି ଅଞ୍ଚଳ ବର୍ଷା ଓ ବନ୍ୟାଜଳ ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକ୍‌ ବିଶେଷ ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତାଘାଟ, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ବନ୍ୟା ସମୟରେ ପ୍ରଶାସନର ପ୍ରାଥମିକତା ଥିଲା ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ବଣ୍ଟନ। ଏବେ ପାଣି କମିବା ପରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ କ୍ଷୟକ୍ଷତି ଆକଳନ ଉପରେ ଜୋର ଦେଇଛି ଜିଲ୍ଲା ପ୍ରଶାସନ। ବିଭିନ୍ନ ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।

କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବା ପରେ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବା ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

You may also like

Leave a Comment