Home Odishaଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ

ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ

by Lokanath Panigrahi
0 comments

ନିଶା ବିରୋଧରେ ଜିରୋ ଟଲରେନ୍ସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୬:
ରାଜ୍ୟରୁ ନିଶାକୁ ମୂଳପୋଛ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଜୀବନ ଜିନ୍ଦାବାଦ-୨.୦’ ଜନସଚେତନତା ଅଭିଯାନ। ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଶା ବିରୋଧରେ ଦୃଢ଼ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶା କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରେନାହିଁ, ଏହା ପରିବାର ଓ ସମାଜକୁ ମଧ୍ୟ ବରବାଦ କରିଥାଏ। ତେଣୁ ନିଶା ବିରୋଧରେ ରାଜ୍ୟ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହି ଅବସରରେ କମିଶନରେଟ୍ ପୋଲିସର ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ସ୍ୱତନ୍ତ୍ର ୱେବସାଇଟ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି।

ମାନବ ଜୀବନ ଇଶ୍ୱରଙ୍କ ଅମୂଲ୍ୟ ବରଦାନ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନରେ ବାଧା ଓ ବିଫଳତା ଆସିଲେ ମଧ୍ୟ ତାହାକୁ ସାମ୍ନା କରି ଆଗକୁ ବଢ଼ିବା ହିଁ ପ୍ରକୃତ ଜୀବନ। ଗତବର୍ଷ ଆରମ୍ଭ ହୋଇଥିବା ‘ଜୀବନ ଜିନ୍ଦାବାଦ’ ଅଭିଯାନ ଆତ୍ମହତ୍ୟା ପ୍ରବୃତ୍ତି ରୋକିବାରେ ସଫଳ ହୋଇଥିବାବେଳେ, ଏବେ ‘ଜୀବନ ଜିନ୍ଦାବାଦ-୨.୦’ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳତା ଦିଗରେ ଆକର୍ଷିତ କରାଯିବ।

କାର୍ଯ୍ୟକ୍ରମରେ ନିଶା ବିରୋଧୀ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ନାଟକ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ‘ଜୀବନ ଜିନ୍ଦାବାଦ’, ‘ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ’ ଏବଂ ‘ଭୂତ ମଣିଷର ନିଶାକୁ ନା’ ଭଳି ସଚେତନତାମୂଳକ ପ୍ରଦର୍ଶନ ଦର୍ଶକଙ୍କ ମନ ଜିଣିଥିଲା।

ନିଶା ସେବନକୁ ଅନେକ ଜଘନ୍ୟ ଅପରାଧ ଓ ମହିଳା ହିଂସାର ଏକ ପ୍ରମୁଖ କାରଣ ଭାବେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଥିଲେ। ଦେଶରେ ପ୍ରତିବର୍ଷ ମଦ୍ୟପାନ ଯୋଗୁଁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ସେ କହିଥିଲେ। ମଦ୍ୟପାନ କରି ଗାଡ଼ି ଚଳାଇ ମୃତ୍ୟୁ ଘଟଣାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିବା ଚିନ୍ତାଜନକ ବୋଲି ସେ କହିଛନ୍ତି।

କେବଳ ମଦ ନୁହେଁ, ଗଞ୍ଜେଇ, ଅଫିମ, କୋକେନ, ହେରୋଇନ, ବ୍ରାଉନ ସୁଗାର ଓ ସିନ୍ଥେଟିକ୍ ଡ୍ରଗ୍ସ ଭଳି ଉଚ୍ଚ ବିପଦପୂର୍ଣ୍ଣ ନିଶାଦ୍ରବ୍ୟ ବିରୋଧରେ ପୋଲିସ ଓ ଅବକାରୀ ବିଭାଗକୁ ଅଧିକ କଠୋର ଏବଂ ସକ୍ରିୟ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ନୂଆ ଅବକାରୀ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏଥିସହ ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି।

ତମାଖୁ ଓ ନିକୋଟିନ୍‌ଯୁକ୍ତ ପାନମସଲା ଏବଂ ଗୁଟ୍‌ଖାର ଉତ୍ପାଦନ ଓ ବିକ୍ରୟକୁ ନିଷିଦ୍ଧ କରାଯିବା ସହ ସ୍କୁଲ ଓ କଲେଜ କ୍ୟାମ୍ପସକୁ ନିଶା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

୨୦୨୯ ଶେଷ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଡେଡ୍‌ଲାଇନ୍‌କୁ ସାକାର କରିବା ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାରେ ପରିବାରର ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ପିଲାଙ୍କ ଆଚରଣ ଓ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଦେଖାଦେଲେ ଏହାକୁ ‘ରେଡ୍ ଫ୍ଲାଗ୍’ ଭାବେ ନେଇ ସଚେତନ ହେବାକୁ ପିତାମାତାଙ୍କୁ ସେ ପରାମର୍ଶ ଦେଇଛନ୍ତି।

“ନିଶାକୁ ନାଁ, ଜୀବନକୁ ହଁ” ଏବଂ “Life is beautiful, Don’t destroy it” ବାର୍ତ୍ତାକୁ ଗାଁଠାରୁ ସହର ପର୍ଯ୍ୟନ୍ତ ପହଞ୍ଚାଇ ଏକ ସୁସ୍ଥ, ସଚେତନ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ବିଶିଷ୍ଟ ଅତିଥି, ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟକ ଯୁବକ-ଯୁବତୀ ଉପସ୍ଥିତ ଥିଲେ।

You may also like

Leave a Comment