Home Odishaଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି: ଅକ୍ଟୋବର ୧୫ରେ ଭୋଟିଂ, ସେହିଦିନ ଫଳାଫଳ

ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି: ଅକ୍ଟୋବର ୧୫ରେ ଭୋଟିଂ, ସେହିଦିନ ଫଳାଫଳ

by Lokanath Panigrahi
0 comments

ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଛାତ୍ର ସଂସଦ ନିର୍ବାଚନ ଆୟୋଜନ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଏହି ନିର୍ବାଚନ ହେବ।

ନିର୍ବାଚନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୭ରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ନିଜସ୍ୱ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବେ। ଅକ୍ଟୋବର ୯ରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ହେବ ଏବଂ ସନ୍ଧ୍ୟା ୫ଟାରେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ।

ଅକ୍ଟୋବର ୧୦ରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେହିଦିନ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୪ରେ ଅନୁଷ୍ଠିତ ହେବ ‘Why I Stand For’ କାର୍ଯ୍ୟକ୍ରମ।

ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟିଂ ହେବ। ଭୋଟିଂ ଶେଷ ହେବା ପରେ ସେହିଦିନ ଭୋଟ୍‌ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ରେ ବିଜୟୀ ପ୍ରାର୍ଥୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ।

ୟୁଜି ଓ ପିଜି ପାଠ୍ୟକ୍ରମର ଛାତ୍ରଛାତ୍ରୀ ନିର୍ବାଚନରେ ପ୍ରାର୍ଥୀ ହେବା ସହ ଭୋଟ୍‌ ଦେଇପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କର SAMS ID ରହିବା ଆବଶ୍ୟକ। SAMS ମାଧ୍ୟମରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ନିର୍ବାଚନରେ ଅଂଶ ନେଇପାରିବେ।

ତେବେ Distance Education କିମ୍ବା PPP Modeରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ କିମ୍ବା ଭୋଟ୍‌ ମଧ୍ୟ ଦେଇପାରିବେ ନାହିଁ।

ୟୁଜି ପ୍ରାର୍ଥୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ଏବଂ ପିଜି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହେବା ଆବଶ୍ୟକ। ପ୍ରାର୍ଥୀଙ୍କର ଅତିକମରେ ୭୫ ପ୍ରତିଶତ ଉପସ୍ଥାନ ଥିବା ସହ କୌଣସି ଅପରାଧିକ ରେକର୍ଡ ନଥିବା ଆବଶ୍ୟକ।

ନିର୍ବାଚନ ପ୍ରଚାର ପାଇଁ ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନ ଫଳାଫଳ ଘୋଷଣାର ୨ ସପ୍ତାହ ମଧ୍ୟରେ ପ୍ରାର୍ଥୀମାନଙ୍କୁ ନିଜ ପ୍ରଚାର ଖର୍ଚ୍ଚର ପ୍ରମାଣପତ୍ର ସମ୍ପୃକ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଦାଖଲ କରିବାକୁ ପଡ଼ିବ। ପରେ ଏହାକୁ HIMS ପୋର୍ଟାଲରେ ଅପଲୋଡ୍‌ କରାଯିବ।

ନିର୍ବାଚନ ପ୍ରଚାର ସମୟରେ ସୋସିଆଲ୍‌ ଓ ଡିଜିଟାଲ୍‌ ମିଡିଆରେ ଅଶାଳୀନ ମନ୍ତବ୍ୟ ଉପରେ ରୋକ୍‌ ଲଗାଯାଇଛି। ଏଥିସହ False, Misleading, Manipulated କିମ୍ବା AI Generated Fake Content ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି।

କ୍ୟାମ୍ପସରେ କୌଣସି Procession କିମ୍ବା Public Meeting କରିବାକୁ ହେଲେ କଲେଜ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ। ପ୍ରଚାର ପାଇଁ ପ୍ରାର୍ଥୀମାନେ ହାତ ତିଆରି ପୋଷ୍ଟର ବ୍ୟବହାର କରିପାରିବେ। ନିର୍ବାଚନରେ ଅଣଛାତ୍ରଙ୍କ ଅଂଶଗ୍ରହଣ ସମ୍ପୂର୍ଣ୍ଣ ନିଷେଧ ରହିବ।

ଭୋଟିଂ ଶେଷ ହେବାର ୨୪ ଘଣ୍ଟା ପୂର୍ବରୁ, ଅର୍ଥାତ୍‌ ଅକ୍ଟୋବର ୧୪ ଦିନ ୨ଟାରୁ ଅକ୍ଟୋବର ୧୫ ଦିନ ୨ଟା ପର୍ଯ୍ୟନ୍ତ, ସମସ୍ତ ପ୍ରକାର ନିର୍ବାଚନ ପ୍ରଚାର ବନ୍ଦ ରହିବ।

ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ପ୍ରତ୍ୟେକ ଉଚ୍ଚଶିକ୍ଷାନୁଷ୍ଠାନରେ ଏକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବ। Dean (Student Welfare) କିମ୍ବା Teacher In Charge of Student Affairsଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜଣେ ଅଧ୍ୟାପକ, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜଣେ ଶେଷବର୍ଷର ଛାତ୍ର ଏବଂ ଜଣେ ଛାତ୍ରୀ ରହିବେ।

ନିର୍ବାଚନ ଫଳାଫଳ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ପୋଲିଂ ସ୍ଥାନକୁ ସଫା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ନିର୍ବାଚନର ସମସ୍ତ ପ୍ରକ୍ରିୟା ଲିଙ୍ଗଡୋ କମିଶନଙ୍କ ରିପୋର୍ଟ ଏବଂ ଉଚ୍ଚଶିକ୍ଷା ବିଭାଗର ନିୟମାବଳୀ ଅନୁସାରେ ପରିଚାଳିତ ହେବ।

ନିର୍ବାଚନର ସୁପରିଚାଳନା ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଭର୍ଚୁଆଲ୍‌ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ପିଜି କାଉନସିଲ ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷମାନେ ଏଥିରେ ଯୋଗ ଦେଇଥିଲେ।

ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କମିଟି ଗଠନ, ବ୍ୟାଲଟ୍‌ ପେପର ଓ ବ୍ୟାଲଟ୍‌ ବକ୍ସ ପ୍ରସ୍ତୁତି ସହ ନିର୍ବାଚନ ନିୟମାବଳୀର କଡ଼ାକଡ଼ି ପାଳନ ନେଇ ଶ୍ରୀ ଅଗ୍ରୱାଲ ନିର୍ଦ୍ଦେଶ ଦେଇଥିଲେ। କ୍ୟାମ୍ପସରେ ହିଂସାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ଏବଂ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ।

ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆଜିର ଛାତ୍ରଛାତ୍ରୀ ହିଁ ଆସନ୍ତାକାଲିର ଓଡ଼ିଶାର ନେତୃତ୍ୱ ନେବେ। ଦୀର୍ଘ ସମୟ ପରେ ଛାତ୍ର ସଂସଦ ନିର୍ବାଚନର ପୁନଃ ଆରମ୍ଭ କେବଳ ନିର୍ବାଚନ ବ୍ୟବସ୍ଥାର ଫେରା ନୁହେଁ, ବରଂ ଯୁବପିଢ଼ିଙ୍କୁ ଗଣତନ୍ତ୍ର, ଦାୟିତ୍ୱ ଓ ନେତୃତ୍ୱର ପ୍ରାକ୍ଟିକାଲ୍‌ ଅନୁଭବ ଦେବାର ଏକ ନୂଆ ଅଧ୍ୟାୟ ବୋଲି ସେ କହିଛନ୍ତି।

“ଆଜିର ଯୁବଶକ୍ତିକୁ ଆସନ୍ତାକାଲିର ଦାୟିତ୍ୱବାନ ନେତୃତ୍ୱରେ ପରିଣତ କରିବା ପାଇଁ ଆମେ ସଂକଳ୍ପବଦ୍ଧ” ବୋଲି ମନ୍ତ୍ରୀ କହିଛନ୍ତି।

You may also like

Leave a Comment