Home Odishaକଳିଙ୍ଗନଗରରେ ଶିଳ୍ପାୟନର ସ୍ୱର୍ଣ୍ଣିମ ଅଧ୍ୟାୟ: ୩୯,୩୮୩ କୋଟିର ପ୍ରକଳ୍ପ, ୪୨,୫୧୨ ନିଯୁକ୍ତି ସୁଯୋଗ

କଳିଙ୍ଗନଗରରେ ଶିଳ୍ପାୟନର ସ୍ୱର୍ଣ୍ଣିମ ଅଧ୍ୟାୟ: ୩୯,୩୮୩ କୋଟିର ପ୍ରକଳ୍ପ, ୪୨,୫୧୨ ନିଯୁକ୍ତି ସୁଯୋଗ

by Lokanath Panigrahi
0 comments

ଭୁବନେଶ୍ୱର, ୧୪ ଅକ୍ଟୋବର: ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି ଦେବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ବୃହତ୍ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୪୨,୫୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଓଡ଼ିଶାର ଦ୍ୱିତୀୟ ଶିଳ୍ପ ବିପ୍ଳବର ସ୍ୱର୍ଣ୍ଣିମ ଅଧ୍ୟାୟ। ବୁଝାମଣାପତ୍ରକୁ ବାସ୍ତବ ରୂପ ଦେଇ କାରଖାନା ନିର୍ମାଣ, ଉତ୍ପାଦନ ଓ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଆଗାମୀ ୧୦ ବର୍ଷରେ ରାଜ୍ୟ ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ସହ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ମାନୁଫାକ୍‌ଚରିଂ ହବ୍‌ରେ ପରିଣତ କରିବା ଲକ୍ଷ୍ୟ ରହିଛି। ନୀତି ଆୟୋଗ ସୂଚକାଙ୍କ ଅନୁସାରେ ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି।

ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍‌ର କାର୍ବନ୍ ଷ୍ଟିଲ୍ ଓ ଷ୍ଟେନଲେସ୍ ଷ୍ଟିଲ୍ ପ୍ରକଳ୍ପ ସହ ଟାଟା ଷ୍ଟିଲ୍‌ର ଡାଉନ୍‌ଷ୍ଟ୍ରିମ୍ ସୁବିଧା, ସ୍ଲରୀ ପାଇପ୍‌ଲାଇନ୍, ଗ୍ରାଇଣ୍ଡିଂ ଓ ଫିଲ୍ଟରେସନ୍ ୟୁନିଟ୍ ଏବଂ IMFA, ଜଟିଆ ଷ୍ଟିଲ୍, ବିକେ ଉତ୍କଳ ଷ୍ଟିଲ୍ ଓ ଶ୍ରୀ ଏମ୍.କେ. ଷ୍ଟିଲ୍‌ର ପ୍ରକଳ୍ପ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବ। ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପିତ ହେଉଛି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଦୁଇ ବର୍ଷରୁ କମ୍ ସମୟରେ ୧୫୧ଟି ପ୍ରକଳ୍ପର ଶୁଭାରମ୍ଭ ହୋଇ ୩.୧୧ ଲକ୍ଷ କୋଟିରୁ ଅଧିକ ନିବେଶ ଓ ୨.୪୦ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମୋଟ ପ୍ରକଳ୍ପ ନିବେଶ ୩.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ୧୨.୦୭ ଲକ୍ଷ କୋଟିର ୫୬୦ଟି ଶିଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇ ପ୍ରାୟ ୭ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି।

ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଔଷଧ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରରେ ନିବେଶ ସହ ମହିଳା ନିଯୁକ୍ତି ଓ ଯୁବବର୍ଗଙ୍କ ଦକ୍ଷତା ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି। ଟେକ୍ସଟାଇଲ୍ କନ୍‌କ୍ଲେଭ୍‌ରୁ ୫୩ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଆଧୁନିକ ଶିଳ୍ପ ପାଇଁ ପ୍ରଶିକ୍ଷଣ ଦିଆଯାଉଛି।

ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଓ ଶିଳ୍ପନୀତି ମାଧ୍ୟମରେ ନିବେଶକଙ୍କୁ ସହଯୋଗ ଦିଆଯାଉଥିବା କହି ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିରୋଧୀ ରାଜନୀତିରେ ବ୍ୟସ୍ତ, ଆମେ ପ୍ରଗତିରେ ବ୍ୟସ୍ତ।” ସମାରୋହରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଏସିଏସ୍ ହେମନ୍ତ କୁମାର ଶର୍ମା, ଯାଜପୁର ସାଂସଦ, ବିଧାୟକ ଓ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ।

You may also like

Leave a Comment