ଓଡ଼ିଶାରେ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣାରେ ବିଳମ୍ବ ସହ ରାଜନୈତିକ ଚାପ ଏବଂ ପ୍ରଶାସନିକ ହସ୍ତକ୍ଷେପର ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ବିଶେଷକରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟାକୁ ନେଇ ବିଜେଡି ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ପ୍ରଶ୍ନ କରିଛି।
ଅକ୍ଟୋବର ୧୫ରେ ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓ ନିର୍ବାଚନର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ଉଦ୍ବେଗ ପ୍ରକାଶ କରିଥିଲେ।
ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜେଡି ସମର୍ଥିତ ପ୍ରାର୍ଥୀ ବହୁ ଭୋଟ୍ରେ ଆଗୁଆ ଥିବା ଖବର ମିଳିବା ପରେ ମଧ୍ୟ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବା ଦଳ ଅଭିଯୋଗ କରିଥିଲା।
ବିଳମ୍ବକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଗଣତି ଶେଷ ହେବା ପୂର୍ବରୁ ବିସିଜେଡି ପକ୍ଷରୁ ସଭାପତି ପ୍ରାର୍ଥୀ ସୋନାଲି ବେହେରାଙ୍କ ବିଜୟ ଘୋଷଣା କରାଯିବାକୁ ନେଇ ଏବିଭିପି ପ୍ରଶ୍ନ ଉଠାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେତେବେଳେ ଭୋଟ୍ ଗଣତି ଶେଷ ହୋଇନଥିବା ସ୍ପଷ୍ଟ କରିଥିଲେ।
ପରବର୍ତ୍ତୀ ସମୟରେ ପ୍ରକାଶିତ ଫଳାଫଳ ଅନୁଯାୟୀ, ରମାଦେବୀ ବିଶ୍ୱବିଦ୍ୟାଳୟର ସଭାପତି ପଦରେ ବିସିଜେଡି ସମର୍ଥିତ ସୋନାଲି ବେହେରା ବିଜୟୀ ହୋଇଛନ୍ତି।
କେବଳ ରମାଦେବୀ ନୁହେଁ, କ୍ୟାପିଟାଲ୍ ଲ’ କଲେଜ, ଏମ୍.ଏସ୍. ଲ’ କଲେଜ ଏବଂ ଉତ୍କଳ ଲ’ କଲେଜର ଫଳାଫଳ ଘୋଷଣାରେ ବିଳମ୍ବକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଥିଲା।
ଦଳର ଅଭିଯୋଗ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ରାଜନୈତିକ ପ୍ରଭାବ ଓ ପ୍ରଶାସନିକ ଚାପ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିପାରେ।
ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ହସ୍ତକ୍ଷେପ ନିର୍ବାଚନର ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ପ୍ରଶ୍ନ ସୃଷ୍ଟି କରୁଛି।
ରମାଦେବୀ ବିଶ୍ୱବିଦ୍ୟାଳୟରେ ବୋମା ଫିଙ୍ଗାଯାଇଥିବା ଅଭିଯୋଗ ସମେତ କ୍ୟାମ୍ପସ୍ ହିଂସାର ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏହାସହ ପୋଲିସ ପ୍ରଶାସନର ଭୂମିକା ଓ ନିରାପତ୍ତା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ହିଂସାକାଣ୍ଡରେ ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।
ରାଜ୍ୟସଭା ସାଂସଦ ସୁଲତା ଦେଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛ ଭୋଟ୍ ଗଣତି ସୁନିଶ୍ଚିତ କରିବା ସହ ବିନା ବିଳମ୍ବରେ ଫଳାଫଳ ଘୋଷଣା କରିବାକୁ ଆହ୍ୱାନ ଜଣାଇଥିଲେ।
ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ କରିବା କିମ୍ବା ରାଜନୈତିକ ଚାପ ପ୍ରୟୋଗ କରିବାର ଯେକୌଣସି ଉଦ୍ୟମରୁ ସୁରକ୍ଷା ଦେବାକୁ ସେ ଦାବି କରିଛନ୍ତି। ଆନୁଷ୍ଠାନିକ ଭାବେ ଯାଞ୍ଚ ହୋଇଥିବା ଛାତ୍ରଛାତ୍ରୀଙ୍କ ଜନାଦେଶକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ମଧ୍ୟ ବିଜେଡି ଛାତ୍ର ସଂସଦ ନିର୍ବାଚନରେ ଶାସକ ବିଜେପିର ହସ୍ତକ୍ଷେପ ଅଭିଯୋଗ ଆଣିଥିଲା। ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରି ନିର୍ବାଚନୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁନଥିବା ଦାବି କରିଛି।
ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିସିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ରମାଦେବୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ସଭାପତି ନିର୍ବାଚିତ ହୋଇଥିବାବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏବିଭିପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଛାତ୍ର ସଂସଦ ନିର୍ବାଚନରେ ଉଠିଥିବା ଅନିୟମିତତା ଓ ହିଂସା ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଉପରେ ବିଜେଡି ଜୋର୍ ଦେଇଛି।
