ଜାତୀୟ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ଏକ ଗୌରବମୟ ସଫଳତା। ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଜାତୀୟ ବିଜ୍ଞାନ ସେମିନାରରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇସିଂହାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି। ନୂଆଦିଲ୍ଲୀର ଜାତୀୟ ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ଜାତୀୟ ବିଜ୍ଞାନ ସେମିନାର ୨୦୨୬ରେ ସେ ଦେଶର ବିଭିନ୍ନ ରାଜ୍ୟର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (NCSM) ପକ୍ଷରୁ ଏହି ସେମିନାର ଆୟୋଜନ କରାଯାଇଥିଲା। ସୌମ୍ୟାଶ୍ରୀଙ୍କ ସଫଳତା କେବଳ ତାଙ୍କ ବିଦ୍ୟାଳୟ କିମ୍ବା ବଲାଙ୍ଗୀର ଜିଲ୍ଲା ପାଇଁ ନୁହେଁ, ସମଗ୍ର ଓଡ଼ିଶାର ଶିକ୍ଷା ଓ ବିଜ୍ଞାନ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି।
ଜାତୀୟ ବିଜ୍ଞାନ ସେମିନାର ୨୦୨୬ର ମୁଖ୍ୟ ବିଷୟବସ୍ତୁ ଥିଲା ‘Indian Energy Basket 2047: Prospects and Challenges’ ଅର୍ଥାତ୍ ‘ଭାରତର ଶକ୍ତି ବ୍ୟବସ୍ଥା ୨୦୪୭: ସମ୍ଭାବନା ଓ ଆହ୍ୱାନ’।
ଏହି ବିଷୟ ଉପରେ ସୌମ୍ୟାଶ୍ରୀ ଏକ ଉଚ୍ଚକୋଟୀର ଓ ତଥ୍ୟଭିତ୍ତିକ ଉପସ୍ଥାପନା କରିଥିଲେ। ତାଙ୍କ ଉପସ୍ଥାପନା ବିଚାରକମଣ୍ଡଳୀଙ୍କୁ ପ୍ରଭାବିତ କରିଥିବାବେଳେ ସେ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ବିବେଚିତ ହୋଇଥିଲେ।
ଭାରତ ୨୦୪୭ ମସିହା ସୁଦ୍ଧା ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବାବେଳେ ଭବିଷ୍ୟତର ଶକ୍ତି ଆବଶ୍ୟକତା, ନବୀକରଣଯୋଗ୍ୟ ଶକ୍ତି, ଶକ୍ତି ସୁରକ୍ଷା ଓ ପରିବେଶ ସୁରକ୍ଷା ଭଳି ପ୍ରସଙ୍ଗଗୁଡ଼ିକ ଅତ୍ୟନ୍ତ ପ୍ରାସଙ୍ଗିକ। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାତୀୟସ୍ତରରେ ସୌମ୍ୟାଶ୍ରୀଙ୍କ ସଫଳତା ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଓ ଉପସ୍ଥାପନା ଦକ୍ଷତାକୁ ପ୍ରତିଫଳିତ କରିଛି।
ଓଡ଼ିଶା ପାଇଁ ଏହି ସଫଳତାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଦୀର୍ଘ ୧୩ ବର୍ଷ ପରେ ରାଜ୍ୟ ଜାତୀୟ ବିଜ୍ଞାନ ସେମିନାରରେ ପ୍ରଥମ ସ୍ଥାନ ହାସଲ କରିଛି। ଦେଶର ବିଭିନ୍ନ ରାଜ୍ୟରୁ ଅଂଶଗ୍ରହଣ କରିଥିବା ପ୍ରତିଭାବାନ ପ୍ରତିଯୋଗୀଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓଡ଼ିଶାର ଏହି ଛାତ୍ରୀ।
ବଲାଙ୍ଗୀର ଜିଲ୍ଲାର ଏକ ଗ୍ରାମାଞ୍ଚଳ ଶିକ୍ଷାନୁଷ୍ଠାନରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ତାଙ୍କର ଏହି ସଫଳତା ପ୍ରମାଣ କରିଛି ଯେ, ଉପଯୁକ୍ତ ଶିକ୍ଷା, ମାର୍ଗଦର୍ଶନ ଓ ନିରନ୍ତର ପରିଶ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଜାତୀୟସ୍ତରରେ ଉତ୍କର୍ଷ ହାସଲ କରିପାରିବେ।
ସୌମ୍ୟାଶ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପଛରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS)ର ମାର୍ଗଦର୍ଶନ ଏବଂ ସହଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଶେଷକରି ବିଜ୍ଞାନ ଶିକ୍ଷକଙ୍କ ନିରନ୍ତର ପ୍ରୟାସ ତାଙ୍କୁ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାରେ ସହାୟକ ହୋଇଥିଲା।
ସେହିପରି ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଏବଂ ଅନ୍ୟ ମାର୍ଗଦର୍ଶକମାନଙ୍କ ସହଯୋଗ ମଧ୍ୟ ଏହି ସଫଳତାରେ ରହିଛି। ଏଥିସହ ସୌମ୍ୟାଶ୍ରୀଙ୍କ ଅଭିଭାବକଙ୍କ ପ୍ରେରଣା ଓ ସମର୍ଥନ ତାଙ୍କର ଶିକ୍ଷାଗତ ଯାତ୍ରାକୁ ସୁଦୃଢ଼ କରିଛି।
ଏହି ସଫଳତା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ସୌମ୍ୟାଶ୍ରୀ ଥନାପତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଯିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି।
ସୌମ୍ୟାଶ୍ରୀଙ୍କ ଏହି ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା, ଗବେଷଣା ଏବଂ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ପ୍ରେରଣାଦାୟୀ ଉଦାହରଣ।
ଗ୍ରାମାଞ୍ଚଳରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ସୌମ୍ୟାଶ୍ରୀଙ୍କ ଏହି ଯାତ୍ରା ଓଡ଼ିଶାର ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ଏକ ସ୍ମରଣୀୟ ସଫଳତା ଭାବେ ପରିଗଣିତ ହେବ।
