Home » Blog » ଓଡ଼ିଶାରେ ଗଡ଼ିବ ୧୪୦୦ ‘ଆମ ବସ୍‌’! ପରିବହନ ସେବାରେ ଆସିବ ବଡ଼ ପରିବର୍ତ୍ତନ

ଓଡ଼ିଶାରେ ଗଡ଼ିବ ୧୪୦୦ ‘ଆମ ବସ୍‌’! ପରିବହନ ସେବାରେ ଆସିବ ବଡ଼ ପରିବର୍ତ୍ତନ

by Akshay Maharana
0 comments

ରାଜ୍ୟରେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବଡ଼ ଯୋଜନା ପ୍ରସ୍ତୁତ କରିଛି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT)। ବର୍ତ୍ତମାନ ଚାଲୁଥିବା ୭୭୦ଟି ବସ୍‌କୁ ଆଗାମୀ ଦିନରେ ୧୪୦୦କୁ ବୃଦ୍ଧି କରିବାକୁ ଯୋଜନା ରହିଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯାତାୟାତ ସୁବିଧା ଆହୁରି ସୁଦୃଢ଼ ହେବ।

ଗୁରୁବାର ଭୁବନେଶ୍ୱରରେ CRUT ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ‘ଆମ ବସ୍‌’ ଓ ‘ଓଡ଼ିଶା ଯାତ୍ରୀ’ର ଉତ୍କୃଷ୍ଟ ସେବା ପ୍ରଦାନ କରୁଥିବା ଆଗଧାଡ଼ିର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଦୈନିକ ୧୬ଟି ପର୍ଯ୍ୟନ୍ତ ଯାତ୍ରା ସମ୍ପୂର୍ଣ୍ଣ କରିଥିବା ‘ଓଡ଼ିଶା ଯାତ୍ରୀ’ ଚାଳକଙ୍କୁ ସମ୍ମାନିତ କରାଯାଇଥିବାବେଳେ ଯାତ୍ରୀଙ୍କ ପ୍ରତି ବ୍ୟବହାର, ଗାଡ଼ି ଚାଳନା ଦକ୍ଷତା, ସମୟାନୁବର୍ତ୍ତିତା ଓ ରାଜସ୍ୱ ସଂଗ୍ରହ ଆଦି ମାନଦଣ୍ଡ ଆଧାରରେ ‘ଆମ ବସ୍‌’ର କ୍ୟାପଟେନ୍ ଓ ଗାଇଡ୍‌ମାନଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ CRUTର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍ କର୍ମଚାରୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିଥିଲେ। ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬ରେ CRUT ତିନୋଟି ସମ୍ମାନଜନକ ଜାତୀୟ ପୁରସ୍କାର ହାସଲ କରିଥିବାରୁ ସେ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଯାତ୍ରୀଙ୍କ ସୁରକ୍ଷା, ଉତ୍ତମ ବ୍ୟବହାର ଓ ସମୟାନୁବର୍ତ୍ତିତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ଅଧିକ ଯାତ୍ରୀ ଚଳାଚଳ କରୁଥିବା ରୁଟ୍‌ଗୁଡ଼ିକରେ ବସ୍ ସଂଖ୍ୟା ଓ ଚଳାଚଳର ବାରମ୍ବାରତା ବୃଦ୍ଧି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ସୁରକ୍ଷିତ, ଭରସାଯୋଗ୍ୟ ଓ ସମସ୍ତଙ୍କ ପାଇଁ ସୁଲଭ ପରିବହନ ସେବା ଯୋଗାଇଦେବା CRUTର ମୁଖ୍ୟ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା।

You may also like

Leave a Comment