Home » Blog » ବାତ୍ୟା ମୁକାବିଲା ପାଇଁ ୪ ଜିଲ୍ଲାରେ ୪ ବରିଷ୍ଠ IASଙ୍କୁ ଦାୟିତ୍ୱ

ବାତ୍ୟା ମୁକାବିଲା ପାଇଁ ୪ ଜିଲ୍ଲାରେ ୪ ବରିଷ୍ଠ IASଙ୍କୁ ଦାୟିତ୍ୱ

by Archana Singh
0 comments

ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ନେଇ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର। ବାତ୍ୟା ମୁକାବିଲା ପାଇଁ ଆହୁରି ସୁଦୃଢ଼ ହେଲା ପ୍ରଶାସନିକ ପ୍ରସ୍ତୁତି। ୪ଟି ଜିଲ୍ଲାରେ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦିଆଗଲା ସ୍ୱତନ୍ତ୍ର ଦାୟିତ୍ୱ। ବାତ୍ୟା ପୂର୍ବରୁ ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭ କରି ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପର୍ଯ୍ୟନ୍ତ ସବୁକିଛି ତଦାରଖ କରିବେ ଏହି ଅଧିକାରୀ। ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଜଗତସିଂହପୁର ଜିଲ୍ଲା ପାଇଁ ଯାମିନୀ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ମିଳିଥିବା ବେଳେ ପୁରୀ ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ମୃତି ରଞ୍ଜନ ପ୍ରଧାନ ଓ ଗଜପତି ପାଇଁ ମାନସୀ ନିମ୍ବଲଙ୍କୁ ଦିଆଯାଇଛି ଗୁରୁଦାୟିତ୍ୱ।

ବଡ଼ କଥା ହେଉଛି, ଏହି ଚାରି ଅଧିକାରୀ ପୂର୍ବରୁ ସମ୍ପୃକ୍ତ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି। ଜିଲ୍ଲାର ଭୌଗୋଳିକ ସ୍ଥିତି ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ରହିଛି। ଯାହା ବାତ୍ୟା ମୁକାବିଲାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଦାୟିତ୍ୱପ୍ରାପ୍ତ ଅଧିକାରୀମାନେ ନିଜ ନିଜ ଜିଲ୍ଲାକୁ ଯାଇ ବାତ୍ୟା ଆଶ୍ରୟସ୍ଥଳୀ, ଲୋକଙ୍କ ସ୍ଥାନାନ୍ତରଣ, ଖାଦ୍ୟ, ପାନୀୟ ଜଳ ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିବେ। ଏହାସହ ବାତ୍ୟା ପରେ କ୍ଷୟକ୍ଷତି ଆକଳନ, ରାସ୍ତାଘାଟ ଓ ବିଦ୍ୟୁତ୍ ସେବାର ପୁନରୁଦ୍ଧାର ଭଳି ଜରୁରୀ କାର୍ଯ୍ୟର ମଧ୍ୟ ତଦାରଖ କରିବେ।

ସେପଟେ ପୂର୍ବ ବାତ୍ୟା ‘ଅର୍ଣ୍ଣବ’ ସମୟରେ ନିଯୁକ୍ତ ଅଧିକାରୀମାନେ ମଧ୍ୟ ନିଜ ଦାୟିତ୍ୱରେ ରହିବେ। ଅର୍ଥାତ୍ ବାତ୍ୟା ଆସିବା ପୂର୍ବରୁ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଲକ୍ଷ୍ୟ ଗୋଟିଏ—ବାତ୍ୟାର ମୁକାବିଲା ସହ ଲୋକଙ୍କ ଧନଜୀବନର ସୁରକ୍ଷା।

You may also like

Leave a Comment