ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ହେବ ଆହୁରି ସୁଦୃଢ଼। ଦୁଇ ଦେଶର ବନ୍ଧୁତାକୁ ନୂଆ ଦିଗ ଦେବା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ମଧ୍ୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଏହି ଅବସରରେ ନେପାଳର ବିକାଶ ଓ ବନ୍ୟା ପରବର୍ତ୍ତୀ ପୁନର୍ନିର୍ମାଣ ପାଇଁ ଭାରତ ପକ୍ଷରୁ ବଡ଼ ଆର୍ଥିକ ସହାୟତା ଘୋଷଣା କରାଯାଇଛି।
ବୈଠକ ପରେ ମିଳିତ ସମ୍ବୋଧନରେ ନେପାଳ ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ପୁନର୍ନିର୍ମାଣ, ଭିତ୍ତିଭୂମିର ବିକାଶ ଏବଂ ପ୍ରଭାବିତ ପରିବାରଙ୍କୁ ସହାୟତା ଯୋଗାଇବା ଏହି ପ୍ୟାକେଜ୍ର ମୁଖ୍ୟ ଉଦ୍ଦେଶ୍ୟ। ବନ୍ୟାରେ ଘରଦ୍ୱାର ଓ ଜୀବିକା ହରାଇଥିବା ଲୋକଙ୍କ ପାଇଁ ଏହି ସହାୟତା ବଡ଼ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି।
କେବଳ ଆର୍ଥିକ ସହାୟତା ନୁହେଁ, ଦୁଇ ଦେଶ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହାକାଶ ଗବେଷଣା, ନଗର ଉନ୍ନୟନ ଓ ପାରମ୍ପରିକ ଚିକିତ୍ସା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଏହି ବୁଝାମଣା ଆଗାମୀ ଦିନରେ ଭାରତ-ନେପାଳ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଓ ନେପାଳ କେବଳ ଦୁଇ ପଡ଼ୋଶୀ ରାଷ୍ଟ୍ର ନୁହନ୍ତି। ଉଭୟ ଦେଶକୁ ଯୋଡ଼ି ରଖିଛି ବିଶ୍ୱାସ, ବନ୍ଧୁତା ଓ ଦୀର୍ଘଦିନର ଘନିଷ୍ଠ ସମ୍ପର୍କ। ସୁଖ ହେଉ କି ଦୁଃଖ, ପ୍ରତ୍ୟେକ କଠିନ ପରିସ୍ଥିତିରେ ଭାରତ ନେପାଳ ସହ ଛିଡ଼ା ହୋଇଛି ଏବଂ ଆଗକୁ ମଧ୍ୟ ସହଯୋଗ ଜାରି ରଖିବ।
ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନେତୃତ୍ୱ ଓ ବିକାଶମୂଳକ ଦୃଷ୍ଟିକୋଣକୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦୀ। ନେପାଳର ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ବାଲେନ ଶାହଙ୍କ ନେତୃତ୍ୱରେ ପ୍ରତିଫଳିତ ହେଉଥିବା ସେ କହିଛନ୍ତି। ଦୁଇ ଦେଶର ସାମୂହିକ ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମିଳିତ ଭାବେ କାମ କରିବାକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ସେପଟେ ଭାରତ ଗସ୍ତ ସମୟରେ ମିଳିଥିବା ଆତିଥ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ। ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେପାଳ ଗସ୍ତ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।
ଏହି ଦ୍ୱିପାକ୍ଷିକ ବୈଠକ ଓ ବିକାଶ ସହଯୋଗ ଘୋଷଣା ଭାରତ-ନେପାଳ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ଦୁଇ ଦେଶର ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
