Home » Blog » ଜଳବନ୍ଦୀଙ୍କୁ ଉଦ୍ଧାର ପାଇଁ ଏୟାରଲିଫ୍ଟ ଯୋଜନା, ଗଞ୍ଜାମ ଓ ଗଜପତିରେ ବର୍ଷା ବିତ୍ପାତ

ଜଳବନ୍ଦୀଙ୍କୁ ଉଦ୍ଧାର ପାଇଁ ଏୟାରଲିଫ୍ଟ ଯୋଜନା, ଗଞ୍ଜାମ ଓ ଗଜପତିରେ ବର୍ଷା ବିତ୍ପାତ

by Lokanath Panigrahi
0 comments

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲ୍ଲାର ୪ଟି ସ୍ଥାନରେ ଲୋକେ ଜଳବନ୍ଦୀ ହୋଇଥିବାରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ଆବଶ୍ୟକ ପଡ଼ିଲେ ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ହୋଇଛି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨ ହଜାର ଲୋକ ଜଳବନ୍ଦୀ ସ୍ଥିତି ଯୋଗୁଁ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୨୦ ଜଣଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିବା ନେଇ ବିଚାର କରାଯାଉଛି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଥିବାବେଳେ କୋଷ୍ଟଗାର୍ଡର ସହାୟତା ନିଆଯିବାର ଯୋଜନା ରହିଛି।

ରେକର୍ଡ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା

ବାତ୍ୟାର ପ୍ରଭାବରେ ରାତିରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ତୀବ୍ରତା ବଢ଼ିଥିଲା। ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ବଢ଼ିଛି।

ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ପାତ୍ରପୁରରେ ୫୪୬ ମିଲିମିଟର, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୪୬୨ ମିଲିମିଟର ଏବଂ ଗଜପତିର ମୋହନାରେ ୩୦୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖିଛନ୍ତି। ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିୟମିତ ସମନ୍ୱୟ ରଖାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

ଉଦ୍ଧାର କାର୍ଯ୍ୟ ପାଇଁ ଅତିରିକ୍ତ ଓଡ୍ରାଫ ଟିମ୍

ଜଳବନ୍ଦୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଓ ଓଡ୍ରାଫ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୧୫ଟି ଓଡ୍ରାଫ ଟିମ୍ ପଠାଯାଇଛି। ବର୍ଷା ଜାରି ରହିଥିବାରୁ ସ୍ଥଳପଥରେ ଉଦ୍ଧାର କାର୍ଯ୍ୟ ସମ୍ଭବ ନହେଲେ ହେଲିକପ୍ଟରର ସହାୟତା ନିଆଯିବ।

ଦକ୍ଷିଣାଞ୍ଚଳ ଆରଡିସି ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ବର୍ଷା କମିବା ପରେ ପରିସ୍ଥିତିରେ ସୁଧାର ଆସିବା ନେଇ ଆଶା ରଖାଯାଇଛି।

ବନ୍ୟାଜଳ ପାଇଁ ରେଳ ଚଳାଚଳ ପ୍ରଭାବିତ

ଅନ୍ୟପଟେ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ ଏକ ରେଳ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ଉଭୟ ଦିଗରେ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି।

ଏହି ସମସ୍ୟାର ସମାଧାନ ଓ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ସଡ଼କପଥରେ ଯାତ୍ରା କରିପାରୁଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ସହ ଅନ୍ୟ ଯାତ୍ରୀଙ୍କ ରହିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଷ୍ଟେସନରେ ପାନୀୟ ଜଳ, ଖାଦ୍ୟ, ଶୌଚାଳୟ ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ରେଳ ବ୍ରିଜ୍ ନିକଟରୁ ବନ୍ୟାଜଳ ନିଷ୍କାସନ ପାଇଁ ୬ ଘଣ୍ଟାରୁ ଅଧିକ ସମୟ ଲାଗିପାରେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ହେଉଛି ଜଳବନ୍ଦୀଙ୍କୁ ଉଦ୍ଧାର କରିବା, ପ୍ରଭାବିତ ଅଞ୍ଚଳରେ ରିଲିଫ୍ ପହଞ୍ଚାଇବା ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା।

You may also like

Leave a Comment