ଭୁବନେଶ୍ୱର, ଜୁନ ୧୮:
ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରକାଶିତ ଅସ୍ଥାୟୀ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜୁନ ୨୦ ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗସ୍ତ କରିବେ ଏବଂ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସକାଳ ୧୦ଟା ୨୦ ମିନିଟ୍ରେ ପଶ୍ଚିମବଙ୍ଗର କଳାଇକୁଣ୍ଡା ବାୟୁସେନା ଘାଟିରୁ ଏମ୍ଆଇ-୧୭ ହେଲିକପ୍ଟର ଯୋଗେ ଯାତ୍ରା କରି ସକାଳ ୧୧ଟା ୫ ମିନିଟ୍ରେ ମୟୂରଭଞ୍ଜର ପାହାଡପୁର ହେଲିପ୍ୟାଡରେ ପହଞ୍ଚିବେ।
ଏହାପରେ ସଡ଼କପଥରେ ଗୋସାଣୀ ପୀଠକୁ ଯାଇ ସକାଳ ୧୧ଟା ୧୫ ମିନିଟ୍ରୁ ଦିନ ୧୨ଟା ୧୫ ମିନିଟ୍ ପର୍ଯ୍ୟନ୍ତ ପାହାଡପୁର ଗସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ପରେ ଦିନ ୧୨ଟା ୨୦ ମିନିଟ୍ରେ ପାହାଡପୁର ସ୍କୁଲରୁ ବାହାରି ହେଲିପ୍ୟାଡରେ ପହଞ୍ଚିବେ ଏବଂ ସେଠାରୁ ହେଲିକପ୍ଟର ଯୋଗେ ଦାଣ୍ଡବୋସ ହେଲିପ୍ୟାଡକୁ ଯିବେ। ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ ଆୟୋଜିତ “ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି” ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ସମ୍ଭାବ୍ୟ ଭାବେ ଜନସାଧାରଣଙ୍କୁ ସମ୍ବୋଧନ କରିବେ।
କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୨ଟା ୫ ମିନିଟ୍ରେ ଦାଣ୍ଡବୋସ ହେଲିପ୍ୟାଡକୁ ଫେରି ସେଠାରୁ ଏମ୍ଆଇ-୧୭ ହେଲିକପ୍ଟରରେ ପଶ୍ଚିମବଙ୍ଗର ହୁଗଳି ଜିଲ୍ଲା ଅନ୍ତର୍ଗତ ତାରକେଶ୍ୱର ଅଭିମୁଖେ ଯାତ୍ରା କରିବେ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲା ସହ ସମଗ୍ର ରାଜ୍ୟରେ ସୁରକ୍ଷା ଏବଂ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
