Home » Blog » ଏମ୍‌ଏଲ୍‌ଏ ଲାଡ୍‌ ଖର୍ଚ୍ଚରେ ବାଧା, ବିଧାନସଭାରେ ବିଧାୟକଙ୍କ ଅସନ୍ତୋଷ

ଏମ୍‌ଏଲ୍‌ଏ ଲାଡ୍‌ ଖର୍ଚ୍ଚରେ ବାଧା, ବିଧାନସଭାରେ ବିଧାୟକଙ୍କ ଅସନ୍ତୋଷ

by Sunita Jena
0 comments

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବା ଏମ୍‌ଏଲ୍‌ଏ ଲାଡ୍‌ର ବିନିଯୋଗକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ। ଅନୁଦାନ ମିଳୁଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ପାରୁନଥିବାରୁ ବିଧାୟକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ଜମି ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଅନେକ ପ୍ରକଳ୍ପ ଅଟକି ରହୁଥିବା ଅଭିଯୋଗ ହୋଇଛି।

ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଲକ୍ଷ୍ମଣ ବାଗ ଗ୍ରାମାଞ୍ଚଳରେ ସରକାରୀ ଜମି ଅଭାବରୁ ବିଧାୟକ ଓ ସାଂସଦ ପାଣ୍ଠିରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ କାହିଁକି ଅଟକୁଛି, ସେନେଇ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ସମ୍ପୃକ୍ତ ବିଭାଗର ଅଧିକାରୀମାନେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଜମି ପାଇଁ ଆବେଦନ କରିପାରିବେ। ଯାଞ୍ଚ ପରେ ଜମି ଲିଜ୍‌ଯୋଗ୍ୟ ବୋଲି ଜଣାପଡ଼ିଲେ, ନିୟମ ଅନୁଯାୟୀ ବିନା ମୂଲ୍ୟରେ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯିବ। ଏଥିସହ ଜମି ଆବଣ୍ଟନ ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶାବଳୀ ରହିଥିବା ସେ ସୂଚନା ଦେଇଥିଲେ।

ତେବେ ମନ୍ତ୍ରୀଙ୍କ ଉତ୍ତର ପରେ ମଧ୍ୟ ବିଧାୟକମାନଙ୍କ ଅସନ୍ତୋଷ ଥମିନଥିଲା। ପ୍ରତାପ କେଶରୀ ଦେବ କହିଥିଲେ ଯେ, ୨୦୨୫-୨୬ ଆର୍ଥିକ ବର୍ଷର ଅର୍ଥ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରୁନାହିଁ। ତେଣୁ ସରକାର ଏହି ପାଣ୍ଠି ବନ୍ଦ କରିଦିଅନ୍ତୁ, ନଚେତ୍ ଅଧିକାରୀମାନଙ୍କୁ ଦାୟିତ୍ୱର ସହ କାମ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ମତ ରଖିଥିଲେ। ଏଥିସହ ଜମି ଉପଲବ୍ଧତା ନିୟମକୁ ସରଳ କରିବା ସହ ବିଡିଓମାନଙ୍କ ପାଇଁ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବାକୁ ଦାବି କରିଥିଲେ।

ସେହିପରି ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଥିଲେ। ଦୀର୍ଘ ୮ରୁ ୯ ମାସ ଧରି ପାଣ୍ଠି ଖର୍ଚ୍ଚ ହୋଇପାରୁନଥିବାରୁ ଏହାର ଉଦ୍ଦେଶ୍ୟ ପୂରଣ ହେଉନାହିଁ ବୋଲି ସେ କହିଥିଲେ। ନିୟମ ସରଳ କରିବା ସମ୍ଭବ ନହେଲେ ପାଣ୍ଠିକୁ ବନ୍ଦ କରିଦେବାକୁ ସେ ମତ ଦେଇଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ପୂର୍ବରୁ ଗୃହରେ ଏନେଇ ପଦକ୍ଷେପ ନେବାକୁ କହିଥିଲେ ମଧ୍ୟ ଆଖିଦୃଶିଆ ପରିବର୍ତ୍ତନ ହୋଇନଥିବା ସେ ଉଲ୍ଲେଖ କରିଥିଲେ।

ଏହି ଆଲୋଚନାରେ ଟଙ୍କଧର ତ୍ରିପାଠୀ, ସନାତନ ବିଜୁଳି ଓ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସାମିଲ ହୋଇଥିଲେ। ଗୃହରେ ବିଧାୟକମାନଙ୍କ ମତାମତ ଓ ଉଦ୍‌ବେଗକୁ ଗୁରୁତ୍ୱ ଦେଇ ବାଚସ୍ପତି ସୁରମା ପାଢ଼ୀ ଏମ୍‌ଏଲ୍‌ଏ ଲାଡ୍‌ ବିନିଯୋଗ ନିୟମର ସମୀକ୍ଷା କରିବାକୁ ରୁଲିଂ ଦେଇଥିଲେ। କ୍ଷେତ୍ରସ୍ତରର ଅଧିକାରୀଙ୍କ ପାଇଁ ସରଳ ଓ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏବେ ଏହି ନିୟମର ସରଳୀକରଣ ହେଉଛି କି ନାହିଁ ଏବଂ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ କେବେ ଗତି ପାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment