ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ-ଗଜପତିରେ ବନ୍ୟା ସ୍ଥିତି, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଲଗାଣ ବର୍ଷାରେ ଦୁଇ ଜିଲ୍ଲାର ୬୨ ହଜାରରୁ ଅଧିକ ଲୋକ ପ୍ରଭାବିତ, ଆବଶ୍ୟକ ପଡ଼ିଲେ ଏୟାରଲିଫ୍ଟିଂ ଉପରେ ଗୁରୁତ୍ୱ
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଚିନ୍ତା ବଢ଼ାଇଛି। ପ୍ରବଳ ବର୍ଷା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା, ଉଦ୍ଧାର ଓ ଥଇଥାନକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର।
ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସକାଳେ ଏସଆରସି କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାଜନିତ କ୍ଷୟକ୍ଷତି, ଲୋକଙ୍କ ସ୍ଥାନାନ୍ତରଣ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଶାସନର ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ଅଧୀନରେ ଥିବା ୨୦୮ଟି ଗ୍ରାମ ପଞ୍ଚାୟତର ୨୯୯ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ଗଜପତି ଜିଲ୍ଲାର ୭ଟି ବ୍ଲକ୍ ଅଧୀନରେ ୧୧୦ଟି ଗ୍ରାମ ପଞ୍ଚାୟତର ୭୧୧ଟି ଗାଁରେ ବର୍ଷା ଓ ବନ୍ୟାର ପ୍ରଭାବ ପଡ଼ିଛି। ଏହି ଦୁଇ ଜିଲ୍ଲାରେ ମୋଟ ୬୨,୫୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି।
ଗଞ୍ଜାମରେ ୧୧,୮୮୨ ଜଣ ଏବଂ ଗଜପତିରେ ୧୭,୪୪୧ ଜଣଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଗଞ୍ଜାମ ଜିଲ୍ଲାର ୭୦ଟି ଗାଁର ୨,୩୨୮ ଜଣ ଲୋକ ଏବେ ମଧ୍ୟ ଜଳଘେରରେ ଥିବା ସୂଚନା ମିଳିଛି। ପ୍ରବଳ ଜଳସ୍ରୋତ ଯୋଗୁଁ କେତେକ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହେଉଛି। ଏଭଳି ଅଞ୍ଚଳରେ ଲୋକଙ୍କୁ ଏୟାରଲିଫ୍ଟିଂ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଆଣିବାର ସମ୍ଭାବନା ଉପରେ ଆଲୋଚନା ହୋଇଛି। ଆବଶ୍ୟକ ହେଲେ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ବ୍ୟବହାର ପାଇଁ ମଧ୍ୟ ଉଚ୍ଚସ୍ତରରେ ଯୋଗାଯୋଗ କରାଯାଇଛି। ଜଳଘେରରେ ଥିବା ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।
ଗର୍ଭବତୀ ମହିଳାଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି। ଗଞ୍ଜାମ ଜିଲ୍ଲାର ୫୫୦ ଜଣ ଏବଂ ଗଜପତି ଜିଲ୍ଲାର ୪୨୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ପାଇଁ ଉଭୟ ଜିଲ୍ଲାରେ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀର ଟିମ୍ ମୁତୟନ ହୋଇଛନ୍ତି। ଗଞ୍ଜାମରେ ୨୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ୍ ଓ ୨୪ଟି ଅଗ୍ନିଶମ ଟିମ୍ ଥିବା ବେଳେ ଗଜପତିରେ ୧୨ଟି ଓଡ୍ରାଫ୍, ଗୋଟିଏ ଏନଡିଆରଏଫ୍ ଓ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି।
ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଚିକିଟି ବ୍ଲକ୍ରେ ଅତ୍ୟଧିକ ବର୍ଷା ଯୋଗୁଁ ବାଘଲଟି ଜଳଭଣ୍ଡାର ଏବଂ ବାହୁଦା ନଦୀର ଜଳସ୍ତର ବଢ଼ିଛି। ଅକ୍ଟୋବର ୨୮ ତାରିଖ ସକାଳ ୧୧ଟା ସୁଦ୍ଧା ଜଳପ୍ରବାହ ପ୍ରତି ସେକେଣ୍ଡରେ ୫୫୦ ଘନମିଟରକୁ ବୃଦ୍ଧି ପାଇଥିବାରୁ ଜଳଭଣ୍ଡାରର ଚାରିଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ସେହି ଦିନ ସନ୍ଧ୍ୟା ୭ଟା ସୁଦ୍ଧା ପାତ୍ରପୁର ବ୍ଲକ୍ରେ ୫୪୬ ମିଲିମିଟର ଏବଂ ଚିକିଟି ବ୍ଲକ୍ରେ ୨୮୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।
ପ୍ରବଳ ବର୍ଷାର ପ୍ରଭାବ ରେଳ ଚଳାଚଳ ଉପରେ ମଧ୍ୟ ପଡ଼ିଛି। ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ ଓ ଜଟପୁଡ଼ି ଷ୍ଟେସନ୍ ମଧ୍ୟରେ ରେଳ ଧାରଣା ନିକଟରେ ଜଳସ୍ତର ବଢ଼ିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର କେତେକ ଟ୍ରେନ୍ ଅଟକି ରହିଥିବାରୁ ରେଳ ବିଭାଗ ଓ ଉଭୟ ରାଜ୍ୟର ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ଆବଶ୍ୟକ ସୂଚନା ଯୋଗାଣ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମିଳିଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି, ଉଦ୍ଧାର ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ସରକାରଙ୍କ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇ ଜନସାଧାରଣଙ୍କ ସୁରକ୍ଷା ଏବଂ କ୍ଷୟକ୍ଷତି ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ ନିଆଯାଉଛି।
