ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ ଅଟକ ରଖିବା ସହ ଗିରଫ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ବ୍ୟାବସାୟିକ ବିବାଦକୁ ନେଇ ଦାଏର ସାମୁଦ୍ରିକ ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଆସିଛି।ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଏହି ମାମଲା ଦାଏର କରାଯାଇଥିଲା। ଆବେଦନରେ ଏମ୍ଟି ୟୁନିଟି (IMO 9388792) ନାମକ ଜାହାଜ ବିରୋଧରେ ପ୍ରାୟ ୩ କୋଟି ୧ ଲକ୍ଷ ୯୮ ହଜାର ୪୮୩ ଟଙ୍କା ଦାବି କରାଯାଇଛି।
ମାମଲାର ବିଚାର ଚାଲିଥିବା ସମୟରେ ଜାହାଜଟି ପାରାଦୀପ ବନ୍ଦର ଛାଡ଼ି ଅନ୍ୟତ୍ର ଚାଲିଯିବାର ଆଶଙ୍କା ରହିଥିବା ଆବେଦନକାରୀ ପକ୍ଷରୁ ଅଦାଲତଙ୍କୁ ଜଣାଯାଇଥିଲା। ଜାହାଜଟି ବନ୍ଦର ଛାଡ଼ିଦେଲେ ମାମଲାରେ ଆବେଦନକାରୀଙ୍କ ଦାବିକୁ କାର୍ଯ୍ୟକାରୀ କରିବା ଜଟିଳ ହୋଇପାରେ ବୋଲି ଯୁକ୍ତି ଦର୍ଶାଯାଇଥିଲା।
ଏହି ଯୁକ୍ତିକୁ ବିଚାର କରି ଜଷ୍ଟିସ୍ ଭି. ନରସିଂହଙ୍କ ଖଣ୍ଡପୀଠ ଜାହାଜଟିକୁ ପାରାଦୀପ ବନ୍ଦରରେ ଗିରଫ କରି ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୂଳ ସାମୁଦ୍ରିକ ବିବାଦ ମାମଲାରେ ଏମ୍ଟି ୟୁନିଟିକୁ ନୋଟିସ୍ ମଧ୍ୟ ଜାରି କରାଯାଇଛି।ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୯ରେ ହେବ। ତେବେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଜାହାଜଟି ପାରାଦୀପ ବନ୍ଦରରୁ ବାହାରିପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ମାମଲାରେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଛି।
