Home Featuredବିପର୍ଯ୍ୟୟ ପରିଚାଳନାରେ କୌଣସି ଶିଥିଳତା ବରଦାସ୍ତ ନୁହେଁ : ମୁଖ୍ୟମନ୍ତ୍ରୀ

ବିପର୍ଯ୍ୟୟ ପରିଚାଳନାରେ କୌଣସି ଶିଥିଳତା ବରଦାସ୍ତ ନୁହେଁ : ମୁଖ୍ୟମନ୍ତ୍ରୀ

by Gulshan Pandey
0 comments

ଭୁବନେଶ୍ୱର : ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଏବଂ ପ୍ରାକ୍-ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି (SLNCC) ବୈଠକ ସୋମବାର ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶ ପାଇଁ ଏକ ମଡେଲ ଭାବେ ପରିଚିତ। ‘ଜିରୋ କାଜୁଆଲ୍‌ଟି’ ନୀତି ରାଜ୍ୟର ସଫଳତାର ପରିଚୟ ହୋଇଥିବା ବେଳେ ବିପର୍ଯ୍ୟୟ ପରିଚାଳନାରେ କୌଣସି ପ୍ରକାର ଅବହେଳା କିମ୍ବା ଶିଥିଳତା ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

ଏଲ୍ ନିନୋ ପ୍ରଭାବକୁ ନେଇ ସତର୍କତା

ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷା ହେବାର ଆଶଙ୍କା ଥିବାରୁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରିଫ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି ବିଭାଗକୁ ସ୍ୱତନ୍ତ୍ର କଣ୍ଟିନ୍‌ଜେନ୍ସି ପ୍ଲାନ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

୯୧୧ ଆଶ୍ରୟସ୍ଥଳୀ ପାଇଁ ପାଣ୍ଠି

ରାଜ୍ୟର ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ ବାର୍ଷିକ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ବିପର୍ଯ୍ୟୟ ସମୟରେ ପାନୀୟ ଜଳ, ଆଲୋକ ଓ ରନ୍ଧନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୋସିଆଲ ମିଡିଆରେ ମିଳିବ ସଠିକ୍ ସୂଚନା

ବିପର୍ଯ୍ୟୟ ସମୟରେ ଗୁଜବକୁ ରୋକିବା ପାଇଁ ସୋସିଆଲ ମିଡିଆ ଓ ଅନ୍ୟ ଡିଜିଟାଲ ମାଧ୍ୟମ ଜରିଆରେ ଲୋକଙ୍କ ମୋବାଇଲକୁ ସଠିକ୍ ଓ ନିର୍ଭୁଲ ସୂଚନା ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। CAP ଆଧାରିତ SMS ଆଲର୍ଟ ବ୍ୟବସ୍ଥା, ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଓ ୧୧୨ ହେଲ୍ପଲାଇନ୍ ସମ୍ପୂର୍ଣ୍ଣ ସକ୍ରିୟ ରହିଛି।

ଓଡ୍ରାଫ୍ ବାହିନୀକୁ ଆହୁରି ସୁଦୃଢ଼ କରାଯିବ

ବର୍ତ୍ତମାନ ରାଜ୍ୟରେ ୨୦ଟି ଓଡ୍ରାଫ୍ ଟିମ୍ ଓ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ରହିଛି। ଏହାସହ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି।

ବିଶ୍ୱସ୍ତରରେ ଓଡ଼ିଶା ମଡେଲର ପ୍ରଶଂସା

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ‘ଜିରୋ କାଜୁଆଲ୍‌ଟି’ ମଡେଲ ଆଜି ବିଶ୍ୱସ୍ତରରେ ପ୍ରଶଂସିତ। ନିକଟରେ ପୁରୀରେ ଅନୁଷ୍ଠିତ BRICS ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ବୈଠକରେ ମଧ୍ୟ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା ମିଳିଥିବା ସେ କହିଥିଲେ।

ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ, ସାଂସଦ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment