ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର କିଟ୍ ଛକରୁ ପଟିଆ ଛକ ମଧ୍ୟରେ ପାଇଲଟ ପ୍ରକଳ୍ପ ଭାବେ ଡଷ୍ଟ କଲେକ୍ଟର ସ୍ଥାପନ କରାଯାଇଛି। ଏହି ଉପକରଣଗୁଡ଼ିକୁ ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ଲଗାଯାଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ ୨୦ଟି ଡଷ୍ଟ କଲେକ୍ଟର ସ୍ଥାପନ କରାଯାଇଥିବା ବେଳେ, ଆଗାମୀ ଦିନରେ ସହରର ଅନ୍ୟାନ୍ୟ ପ୍ରମୁଖ ଅଞ୍ଚଳରେ ମଧ୍ୟ ଏହାକୁ ବିସ୍ତାର କରିବାକୁ ବିଏମସି ଯୋଜନା ପ୍ରସ୍ତୁତ କରିଛି।
ଏହି ଡଷ୍ଟ କଲେକ୍ଟରଗୁଡ଼ିକରେ ଏକ ସ୍ୱୟଂଚାଳିତ ସେନ୍ସର ଚାମ୍ବର ରହିଛି, ଯାହା ପରିବେଶରେ ଥିବା ଧୂଳିକଣା ଓ ଦୂଷିତ ବାୟୁକୁ ସଂଗ୍ରହ କରିଥାଏ। ଚାମ୍ବର ପୂର୍ଣ୍ଣ ହେଲେ ଏହାର ସୂଚନା ସ୍ୱୟଂଚାଳିତ ଭାବେ ବିଏମସି କାର୍ଯ୍ୟାଳୟକୁ ପହଞ୍ଚିବ। ତା’ପରେ ସମ୍ପୃକ୍ତ କର୍ମଚାରୀମାନେ ଚାମ୍ବରକୁ ସଫା କରି ପୁନର୍ବାର ଏହାକୁ କାର୍ଯ୍ୟକ୍ଷମ କରିବେ।
କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଅଧୀନରେ ବିଏମସି ପକ୍ଷରୁ ଏହି ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି। ସହରର ବାୟୁ ଗୁଣବତ୍ତାରେ ଆହୁରି ସୁଧାର ଆଣିବା ସହ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଭୁବନେଶ୍ୱରକୁ ଦେଶର ଅଗ୍ରଣୀ ସହର ଭାବେ ଗଢ଼ି ତୋଳିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଉଲ୍ଲେଖଯୋଗ୍ୟ, ୨୦୨୫ ମସିହାର ସ୍ୱଚ୍ଛ ବାୟୁ ମୂଲ୍ୟାୟନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଥିଲା। ଏହି ସ୍ଥାନକୁ ଆହୁରି ଉନ୍ନତ କରି ପ୍ରଥମ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଦିଲ୍ଲୀ ଓ ଜୟପୁର ପରେ ଭୁବନେଶ୍ୱର ଦେଶର ତୃତୀୟ ସହର ଭାବେ ଏପରି ଡଷ୍ଟ କଲେକ୍ଟର ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛି।
