ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରୁକ୍ମିଣୀଙ୍କ ବିବାହ ହିନ୍ଦୁ ପୌରାଣିକ ପରମ୍ପରାରେ ‘ରୁକ୍ମିଣୀ ବିବାହ’ ବା ‘ରୁକ୍ମିଣୀ ହରଣ ଏକାଦଶୀ’ ନାମରେ ପରିଚିତ। ଏହି ପୌରାଣିକ ଘଟଣାର ସ୍ମୃତିରେ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ରୁକ୍ମିଣୀ ବିବାହ ଉତ୍ସବ ପାଳନ କରାଯାଏ। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଏହି ଉତ୍ସବ ବିଶେଷ ଆଡ଼ମ୍ବର ଓ ଭକ୍ତିଭାବର ସହିତ ଆୟୋଜିତ ହୁଏ।
ପୌରାଣିକ ବର୍ଣ୍ଣନା ଅନୁସାରେ, ବିଦର୍ଭର ରାଜକନ୍ୟା ରୁକ୍ମିଣୀ ରୂପ, ଗୁଣ, ସଦାଚାର ଓ ପବିତ୍ରତାର ପ୍ରତୀକ ଥିଲେ। ଶ୍ରୀକୃଷ୍ଣଙ୍କ ଅସାଧାରଣ ଗୁଣ ଓ ପରାକ୍ରମ ବିଷୟରେ ଶୁଣି ସେ ତାଙ୍କୁ ନଦେଖି ମଧ୍ୟ ମନେ ମନେ ସ୍ୱାମୀ ରୂପେ ବରଣ କରିଥିଲେ। ଅନ୍ୟପକ୍ଷରେ, ଶ୍ରୀକୃଷ୍ଣ ମଧ୍ୟ ରୁକ୍ମିଣୀଙ୍କ ପ୍ରତି ଅନୁରକ୍ତ ଥିଲେ।
ରୁକ୍ମିଣୀଙ୍କ ପିତା ଓ ବିଦର୍ଭର ରାଜା ଭୀଷ୍ମକ ଏହି ବିବାହ ପାଇଁ ସମ୍ମତ ଥିଲେ। କିନ୍ତୁ ରୁକ୍ମିଣୀଙ୍କ ଭାଇ ରୁକ୍ମୀ ଏହାକୁ ବିରୋଧ କରିଥିଲେ। ସେ ମଗଧର ରାଜା ଜରାସନ୍ଧଙ୍କ ପରାମର୍ଶରେ ଚେଦିରାଜ ଦମଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସହ ରୁକ୍ମିଣୀଙ୍କ ବିବାହ ସ୍ଥିର କରିଥିଲେ।
ଏହି ଖବର ପାଇ ରୁକ୍ମିଣୀ ଜଣେ ବ୍ରାହ୍ମଣଙ୍କ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ନିକଟକୁ ଏକ ପ୍ରେମପତ୍ର ପଠାଇ ତାଙ୍କୁ ଉଦ୍ଧାର କରି ନେବାକୁ ନିବେଦନ କରିଥିଲେ। ନିର୍ଦ୍ଧାରିତ ବିବାହ ତିଥିରେ ଶିଶୁପାଳ ବରବେଶରେ ବିଦର୍ଭରେ ପହଞ୍ଚିଥିବା ବେଳେ ଶ୍ରୀକୃଷ୍ଣ ଭ୍ରାତା ବଳରାମଙ୍କ ସହ ସେଠାରେ ଉପସ୍ଥିତ ହୋଇଥିଲେ। ଜରାସନ୍ଧ ଓ ଅନ୍ୟ ରାଜାମାନେ ତାଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ, ଶ୍ରୀକୃଷ୍ଣ ଓ ବଳରାମ ସମସ୍ତଙ୍କୁ ପରାସ୍ତ କରି ରୁକ୍ମିଣୀଙ୍କୁ ହରଣ କରି ଦ୍ୱାରକାକୁ ନେଇ ଆସିଥିଲେ। ପରେ ସେଠାରେ ବିଧିବତ ଭାବେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ପୁରୀ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ପ୍ରାତଃକାଳୀନ ନୀତିକାନ୍ତି ସମାପ୍ତ ପରେ ଶ୍ରୀକୃଷ୍ଣଙ୍କ ପ୍ରତିମାଙ୍କୁ ଦକ୍ଷିଣ ଘରୁ ଆଣି ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜ୍ଞାମାଳ ଗ୍ରହଣ କରାଯାଏ। ପରେ ତାଙ୍କୁ ନନ୍ଦିଘୋଷ ରଥରେ ସ୍ଥାପନ କରାଯାଇ ବିବାହ ଉତ୍ସବର ବିଭିନ୍ନ ନୀତି ସମ୍ପାଦିତ ହୁଏ।
ବୈଷ୍ଣବ ପରମ୍ପରା ଅନୁସାରେ, ଦେବୀ ରୁକ୍ମିଣୀଙ୍କୁ ମହାଲକ୍ଷ୍ମୀଙ୍କ ଅବତାର ଭାବେ ମାନାଯାଏ। ଶ୍ରୀମନ୍ଦିରରେ ଏହି ପବିତ୍ର ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀ ସ୍ୱରୂପା ଶ୍ରୀଦେବୀଙ୍କ ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସମ୍ପନ୍ନ ହୁଏ। ଏହି ଉତ୍ସବ ଭକ୍ତମାନଙ୍କ ପାଇଁ ଦିବ୍ୟ ପ୍ରେମ, ଭକ୍ତି ଓ ସମର୍ପଣର ଏକ ଅନନ୍ୟ ପ୍ରତୀକ ଭାବେ ପରିଗଣିତ।
