ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି। ବନ୍ଦର ପ୍ରଭାବ ଜିଲ୍ଲାର କେତେକ ସ୍ଥାନରେ ଦେଖିବାକୁ ମିଳିଥିବାବେଳେ, କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଓ ପ୍ରତିବାଦ କରୁଛନ୍ତି।
ଜିଲ୍ଲା କଂଗ୍ରେସ ସଭାପତି ଡ. ଲିପିକା ମାଝୀଙ୍କ ନେତୃତ୍ୱରେ କର୍ମୀମାନେ ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଛକ, କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ଓ ମାଝୀଗୁଡ଼ା ଛକରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ସହର ମଧ୍ୟଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ରାଜପଥର ଉଭୟ ପାର୍ଶ୍ୱରେ ଅନେକ ଦୂରପାଳ୍ଲା ଗାଡ଼ି ଅଟକି ରହିଛି। ଏହାଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଜିଲ୍ଲାର ୧୦ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳର କେତେକ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଉମରକୋଟ ସହରରେ ବନ୍ଦର ବିଶେଷ ପ୍ରଭାବ ପଡ଼ିନଥିବା ସୂଚନା ମିଳିଛି। ଝିପିଝିପି ବର୍ଷା ସତ୍ତ୍ୱେ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।
ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀକାଳୀନ ସେବା, ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଯାନବାହନ ଏବଂ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ପାଠ୍ୟପୁସ୍ତକରେ ୧୬ ଶହରୁ ଅଧିକ ତ୍ରୁଟି ରହିଥିବା ଅଭିଯୋଗ କରି କଂଗ୍ରେସ କହିଛି ଯେ, ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ। ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି।
ସେହିପରି, ଉମରକୋଟ ବିଧାନସଭା ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି। ତାଙ୍କ ଅପାରଗତା ଯୋଗୁଁ ଜିଲ୍ଲାର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ଦଳ ତାଙ୍କ ଇସ୍ତଫା ଦାବି କରିଛି।
