ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ଅନେକ ବରିଷ୍ଠ ନେତା ଓ ସ୍ଥାନୀୟ ଜନପ୍ରତିନିଧି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ନିଜ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଥିବା ବେଳେ, ଯୋଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ଏବଂ ୬ ଜଣ କାଉନସିଲର ମଧ୍ୟ ଦଳରେ ସାମିଲ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପିର ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ କଟକ ଓ ଚୌଦ୍ୱାର ଅଞ୍ଚଳର ବହୁ କର୍ପୋରେଟର, କାଉନସିଲର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଏବଂ ବିଜେଡିର ବିଭିନ୍ନ ପଦାଧିକାରୀ ବିଜେପିରେ ଯୋଗଦାନ କରିଥିଲେ। ସେହିପରି ଅବସରପ୍ରାପ୍ତ ପ୍ରଫେସର, ବିଚାରପତି, ପ୍ରଶାସନିକ ଅଧିକାରୀ, ଚିକିତ୍ସକ ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ମଧ୍ୟ ଦଳରେ ସାମିଲ ହୋଇଥିବା ଦାବି କରାଯାଇଛି।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ପ୍ରଭାତ ବିଶ୍ୱାଳଙ୍କ ଭଳି ଅଭିଜ୍ଞ ନେତାଙ୍କ ଯୋଗଦାନ କଟକ ଜିଲ୍ଲାରେ ବିଜେପିର ସଂଗଠନକୁ ଆହୁରି ସୁଦୃଢ଼ କରିବ। ଦଳର ସାଂଗଠନିକ ବିସ୍ତାରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ମିଶ୍ରଣ ପର୍ବ ରାଜ୍ୟରେ ବିଜେପିର ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ। ପ୍ରଭାତ ବିଶ୍ୱାଳଙ୍କ ସାଂଗଠନିକ ଅଭିଜ୍ଞତା ଓ ଜନସମ୍ପର୍କ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପିର ଆଦର୍ଶ ହେଉଛି “ପ୍ରଥମେ ରାଷ୍ଟ୍ର, ପରେ ଦଳ, ଶେଷରେ ବ୍ୟକ୍ତି”। ଏହି ନୀତିକୁ ଆଧାର କରି ସରକାର ଲୋକସେବାକୁ ପ୍ରାଥମିକତା ଦେଇ କାମ କରୁଛି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ନୂଆ ପଦକ୍ଷେପ ନେଇଥିବା ସେ ଉଲ୍ଲେଖ କରିଥିଲେ। ସେଥିରେ ଦେୟମୁକ୍ତ କେଜିରୁ ପିଜି ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏବଂ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ଭଳି ପଦକ୍ଷେପ ରହିଛି ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେ ଯେ, ବିଜେପି ବ୍ୟକ୍ତିକେନ୍ଦ୍ରିକ ଦଳ ନୁହେଁ; ଏହା ଗଣତାନ୍ତ୍ରିକ ପରମ୍ପରା ଓ କାର୍ଯ୍ୟକ୍ରମ ଆଧାରରେ ପରିଚାଳିତ ହୁଏ। ରାଜ୍ୟର ବିକାଶ ଏବଂ ଲୋକଙ୍କ ସେବାକୁ ଆଗରେ ରଖି ସରକାର କାମ କରୁଛି ଏବଂ “ବିକଶିତ ଓଡ଼ିଶା, ବିକଶିତ ଭାରତ” ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ବୋଲି ସେ ମତ ରଖିଥିଲେ।
