ପୁରୀ, ୧୫ ଜୁଲାଇ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ନଜରରେ ରଖି ପୁରୀ ସହରରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ବିଳମ୍ବିତ ରାତିରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ଏହି ପରିଦର୍ଶନ ସମୟରେ ପୁରୀ ମହାନଗର ନିଗମର କମିଶନରଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସହରର ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା, ଡ୍ରେନେଜ୍ର ସ୍ଥିତି ଏବଂ ଜଳ ଜମିବାର ଆଶଙ୍କା ଥିବା ସ୍ଥାନଗୁଡ଼ିକର ଯାଞ୍ଚ କରାଯାଇଥିଲା। ବିଶେଷକରି ରେଡ୍ କ୍ରସ୍ ହସ୍ପିଟାଲ୍ ନିକଟବର୍ତ୍ତୀ ଅଞ୍ଚଳ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ପ୍ରସ୍ତୁତିର ଆକଳନ କରାଯାଇଥିଲା।
ସମୀକ୍ଷା ପରେ ମନ୍ତ୍ରୀ ଅଧିକାରୀମାନଙ୍କୁ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ମାଧ୍ୟମରେ ଜମିଥିବା ପାଣିକୁ ଶୀଘ୍ର ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆବଶ୍ୟକ ସ୍ଥାନରେ ଅସ୍ଥାୟୀ ବାଇପାସ୍ ପାଇପଲାଇନ୍ ବ୍ୟବସ୍ଥା କରି ବର୍ଷାଜଳକୁ ଶୀଘ୍ର ଡ୍ରେନେଜ୍ ଚ୍ୟାନେଲକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ, ଯାହାଦ୍ୱାରା ରଥଯାତ୍ରା ସମୟରେ ରାସ୍ତାଘାଟ ଚଳାଚଳ ଉପଯୋଗୀ ରହିପାରିବ।
ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ପରେ ପୁରୀ ସହରର ଜଳବନ୍ଦୀ ସମସ୍ୟାର ଦୀର୍ଘମିଆଦି ସମାଧାନ ପାଇଁ ଏକ ସମନ୍ୱିତ ଡ୍ରେନେଜ୍ ସଂସ୍କାର ଯୋଜନା ପ୍ରସ୍ତୁତ କରାଯିବ। ଏଥିପାଇଁ ପୁରୀ ମହାନଗର ନିଗମ ଓ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ସେ ଆହୁରି କହିଛନ୍ତି, ରଥଯାତ୍ରା ଅବସରରେ ଦେଶ ଓ ବିଦେଶରୁ ଆସୁଥିବା ଭକ୍ତମାନେ ଯେପରି ବର୍ଷା କିମ୍ବା ଜଳବନ୍ଦୀ କାରଣରୁ କୌଣସି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛି। ଉତ୍ସବ ସମୟରେ ସ୍ୱଚ୍ଛ, ସୁରକ୍ଷିତ ଏବଂ ସୁଗମ ପରିବେଶ ସୁନିଶ୍ଚିତ କରିବା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
ରଥଯାତ୍ରା ସମୟରେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପୁରୀ ମହାନଗର ନିଗମ ସହ ସମନ୍ୱୟ ରଖି ଏମରଜେନ୍ସି ରେସପନ୍ସ ଟିମ୍, ମୋବାଇଲ୍ ପମ୍ପିଂ ୟୁନିଟ୍ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି।
