Home Featuredରଥଯାତ୍ରା ପୂର୍ବରୁ ‘ସମର୍ପଣ’ ଡିଜିଟାଲ ହୁଣ୍ଡିର ଶୁଭାରମ୍ଭ; ଘରେ ବସି ମହାପ୍ରଭୁଙ୍କୁ ଦାନ କରିପାରିବେ ଭକ୍ତ

ରଥଯାତ୍ରା ପୂର୍ବରୁ ‘ସମର୍ପଣ’ ଡିଜିଟାଲ ହୁଣ୍ଡିର ଶୁଭାରମ୍ଭ; ଘରେ ବସି ମହାପ୍ରଭୁଙ୍କୁ ଦାନ କରିପାରିବେ ଭକ୍ତ

by Lokanath Panigrahi
0 comments

ଭୁବନେଶ୍ୱର, ୧୫ ଜୁଲାଇ: ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର ଏକ ନୂଆ ଡିଜିଟାଲ ସୁବିଧା ଆରମ୍ଭ କରିଛନ୍ତି। ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସମର୍ପଣ’ ନାମକ ଡିଜିଟାଲ ହୁଣ୍ଡି ସେବାର ଉଦ୍ଘାଟନ କରିଛନ୍ତି। ଏହା ମାଧ୍ୟମରେ ଦେଶ ଓ ବିଦେଶରେ ଥିବା ଭକ୍ତମାନେ ଘରେ ବସି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁରକ୍ଷିତ ଭାବେ ଦାନ କରିପାରିବେ।

ଏହି ଡିଜିଟାଲ ବ୍ୟବସ୍ଥାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC)ର ସହଯୋଗରେ ପ୍ରସ୍ତୁତ କରାଯାଇଛି। ପ୍ଲାଟଫର୍ମଟି ଶ୍ରୀମନ୍ଦିରର ଅଧିକୃତ ପୋର୍ଟାଲ ସହ ସଂଯୁକ୍ତ ଥିବାରୁ ଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସ୍ୱଚ୍ଛ ରହିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା କେବଳ ଏକ ପ୍ରଯୁକ୍ତିଭିତ୍ତିକ ସେବା ନୁହେଁ, ବରଂ ସାରା ବିଶ୍ୱରେ ବସବାସ କରୁଥିବା ଜଗନ୍ନାଥ ଭକ୍ତଙ୍କୁ ଶ୍ରୀମନ୍ଦିର ସହ ଆହୁରି ନିବିଡ଼ ଭାବେ ଯୋଡ଼ିବାର ଏକ ପ୍ରୟାସ। ଏହି ବ୍ୟବସ୍ଥାରେ ସଂଗୃହୀତ ଅର୍ଥ ଶ୍ରୀମନ୍ଦିରର ବିକାଶ, ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟବହୃତ ହେବ।

‘ସମର୍ପଣ’ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି। ଭକ୍ତମାନେ ମୋବାଇଲ୍ ନମ୍ବର ଓ ଓଟିପି ମାଧ୍ୟମରେ ଲଗ୍-ଇନ୍ କରି ସହଜରେ ଦାନ କରିପାରିବେ। ୟୁପିଆଇ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ ଓ କ୍ରେଡିଟ୍ କାର୍ଡ ସହିତ ହ୍ୱାଟସ୍‌ଆପ୍ ମାଧ୍ୟମରେ ମଧ୍ୟ ପେମେଣ୍ଟ କରିବାର ସୁବିଧା ରହିଛି। ଦାନ ସମ୍ପୂର୍ଣ୍ଣ ହେବା ପରେ ତୁରନ୍ତ ଡିଜିଟାଲ ରସିଦ୍ ମଧ୍ୟ ମିଳିବ।

ଏହି ସେବାରେ ଦାନ ପାଇଁ କୌଣସି ନ୍ୟୁନତମ କିମ୍ବା ସର୍ବାଧିକ ରାଶି ନିର୍ଦ୍ଧାରଣ କରାଯାଇନାହିଁ। ଭକ୍ତମାନେ ନିଜ ସାମର୍ଥ୍ୟ ଅନୁଯାୟୀ ମାତ୍ର ୧ ଟଙ୍କାରୁ ଆରମ୍ଭ କରି ଇଚ୍ଛାମୁତାବକ ଦାନ କରିପାରିବେ। ଶ୍ରୀମନ୍ଦିରର ‘ମରାମତି ଓ ନବୀକରଣ’ ଏବଂ ‘କର୍ପସ’ ପାଣ୍ଠିକୁ ଦାନ କରୁଥିବା ବ୍ୟକ୍ତିମାନେ ପ୍ୟାନ୍ ବିବରଣୀ ଦେଇ ଆୟକର ରିହାତିର ସୁବିଧା ମଧ୍ୟ ପାଇପାରିବେ।

ଦାନ ସୁବିଧା ବ୍ୟତୀତ ଏହି ଆପ୍‌ରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ସୂଚନା, ଦୈନିକ ନୀତିକାନ୍ତି, ନୂତନ ଘୋଷଣା ଏବଂ ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ‘ଭକ୍ତ ନିବାସ’ରେ ରୁମ୍ ବୁକିଂ ଭଳି ସୁବିଧା ମଧ୍ୟ ଉପଲବ୍ଧ ରହିବ।

ମୁଖ୍ୟମନ୍ତ୍ରୀଙ୍କ ମତରେ, ଏହି ଡିଜିଟାଲ ପଦକ୍ଷେପ ଲୋକାଭିମୁଖୀ ପ୍ରଶାସନ, ସ୍ୱଚ୍ଛତା ଏବଂ ଆଧୁନିକ ପ୍ରଯୁକ୍ତିର ସଫଳ ସମନ୍ୱୟର ଏକ ଉଦାହରଣ। ଆଗାମୀ ଦିନରେ ଏହା ଶ୍ରୀମନ୍ଦିରର ବିକାଶ ସହିତ ଭକ୍ତମାନଙ୍କୁ ଆହୁରି ସହଜ ଓ ସୁବିଧାଜନକ ସେବା ଯୋଗାଇବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ଉଦ୍ଘାଟନୀ ଅବସରରେ ରାଜ୍ୟର ଏକାଧିକ ମନ୍ତ୍ରୀ, ଜନପ୍ରତିନିଧି ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment