Home Featuredମା’ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ତିନି ରଥ; ଭକ୍ତଙ୍କ ପାଇଁ ସତର୍କତା ଜାରି କଲେ ପୋଲିସ ଡିଜି

ମା’ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ତିନି ରଥ; ଭକ୍ତଙ୍କ ପାଇଁ ସତର୍କତା ଜାରି କଲେ ପୋଲିସ ଡିଜି

by Lokanath Panigrahi
0 comments

ପୁରୀ: ଗତକାଲି ସମୟାଭାବରୁ ଅଧାରେ ଅଟକି ରହିଥିବା ଶ୍ରୀଜିଉଙ୍କ ରଥଯାତ୍ରା ଆଜି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ “ହରିବୋଲ” ଓ “ଜୟ ଜଗନ୍ନାଥ” ଧ୍ୱନି ମଧ୍ୟରେ ତିନି ରଥ ମା’ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ଆଜି ମଧ୍ୟ ବଡ଼ଦାଣ୍ଡରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଥିଲା। ସକାଳୁ ହିଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ଡିଜି ୱାଇ. ବି. ଖୁରାନିଆ ଶ୍ରଦ୍ଧାଳୁଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି। ବିଶେଷ କରି ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ଲୋକଙ୍କୁ ଅତ୍ୟଧିକ ଭିଡ଼ ସମୟରେ ପୁରୀ ନ ଆଣିବାକୁ ସେ ଅନୁରୋଧ କରିଛନ୍ତି। ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ପୋଲିସ ପକ୍ଷରୁ ଜାରି ହୋଇଥିବା ସମସ୍ତ ସୁରକ୍ଷା ନିର୍ଦ୍ଦେଶକୁ ପାଳନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ରଥଯାତ୍ରା ଅବସରରେ ଦେଶ-ବିଦେଶରୁ ଆସିଥିବା ଭକ୍ତଙ୍କ ଭିଡ଼ ଯୋଗୁଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଗହଳି ସୃଷ୍ଟି ହୋଇଥିଲା। ବିଶେଷ କରି ନନ୍ଦିଘୋଷ ରଥ ନିକଟରେ ଅଧିକ ଜନସମାଗମ ଦେଖାଯାଇଥିଲା। ମରିଚିକୋଟ ଛକ ନିକଟରେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଥିମଧ୍ୟରୁ ଜଣେ ଭକ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି।

ଏପଟେ ରଥ ମା’ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଜି ରଥ ଉପରେ ଗୋପାଳବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ଏବଂ ପହୁଡ଼ ନୀତି ଅନୁଷ୍ଠିତ ହେବ।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ଭୋରରୁ ମଙ୍ଗଳା ଆଳତି, ଅବକାଶ, ଗୋପାଳବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗି ମହାସ୍ନାନ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ପରେ ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ଓ ଡୋର ଲାଗି ନୀତି ଶେଷ ହେବା ପରେ ଗୋଟି ପହଣ୍ଡିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ ଜନ୍ମବେଦୀକୁ ବିଜେ କରିବେ।

ରଥଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ, ପୋଲିସ ଓ ସେବାୟତମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବାବେଳେ, ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳା ବଜାୟ ରଖି ପ୍ରଶାସନର ସମସ୍ତ ନିର୍ଦ୍ଦେଶ ମାନିବାକୁ ପୁଣିଥରେ ଅନୁରୋଧ କରାଯାଇଛି।

You may also like

Leave a Comment