ଭୁବନେଶ୍ୱର, ୧୮ ଜୁଲାଇ: ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀଣ ବିକାଶ ସହ ସେମାନଙ୍କ ଭାଷା, କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣକୁ ସମାନ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ଆହ୍ୱାନ ଜଣାଇଛନ୍ତି।
ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ଏକ ଆଲୋଚନା ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ପାଇଁ ରାଜନୀତି କ୍ଷମତା ଉପଭୋଗର ମାଧ୍ୟମ ନୁହେଁ, ବରଂ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ ସେବା କରିବାର ମାଧ୍ୟମ। ଅନ୍ତ୍ୟୋଦୟର ମୂଲ୍ୟବୋଧକୁ ଆଧାର କରି ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ତାହାର ସମାଧାନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ଜନଜାତି ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ବିକାଶର ମୁଖ୍ୟଧାରାରୁ ସେମାନେ ଦୀର୍ଘଦିନ ଧରି ପଛରେ ରହିଛନ୍ତି। ତେଣୁ ସେମାନଙ୍କ ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟ ଓ ଆର୍ଥିକ ସଶକ୍ତିକରଣ ସହ ପାରମ୍ପରିକ ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବିରାସତ ଭି’ ମନ୍ତ୍ରକୁ ଉଲ୍ଲେଖ କରି ସେ କହିଥିଲେ, ବିକାଶ ସହ ଜନଜାତି ସମ୍ପ୍ରଦାୟର ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ମଧ୍ୟ ସମାନ ଭାବେ ଜରୁରୀ।
ବୈଠକରେ ମୁଖ୍ୟମନ୍ତ୍ରୀ ଜନଜାତି କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ବୈଷୟିକ ଶିକ୍ଷାରେ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ପ୍ରି-ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଭଳି କାର୍ଯ୍ୟକ୍ରମ ସହ କେନ୍ଦ୍ର ସରକାରଙ୍କ ‘ପିଏମ୍ ଜନମନ’, ‘ଧର୍ତୀ ଆବା ଜନଭାଗିଦାରୀ ଅଭିଯାନ’ ଓ ‘ଆଦି କର୍ମଯୋଗୀ ଅଭିଯାନ’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ।
ସମ୍ବିଧାନର ଧାରା ୨୭୫(୧) ଅନୁଯାୟୀ ଜନଜାତି କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ୧୮,୩୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଉଲ୍ଲେଖ କରି ଏହି ଅର୍ଥକୁ ଜନଜାତି ଉନ୍ନୟନରେ ଫଳପ୍ରଦ ଭାବେ ବ୍ୟବହାର କରାଯାଉଥିବା ସେ କହିଥିଲେ।
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ତୃଣମୂଳ ସ୍ତରରେ ଜନଜାତିଙ୍କ ସମସ୍ୟା ଚିହ୍ନଟ କରି ସରକାରଙ୍କ ଦୃଷ୍ଟିକୁ ଆଣିବା ଏବଂ ସେମାନଙ୍କ ବିକାଶ ସହ କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ମୁଖ୍ୟଶାସନ ସଚିବ ଅନୁ ଗର୍ଗ କହିଥିଲେ, ପରିଷଦରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ନିଯୁକ୍ତି ଦେବା ଏକ ସକାରାତ୍ମକ ପଦକ୍ଷେପ। ୨୦୩୬ ଭିଜନ୍ ସାକାର କରିବା ପାଇଁ ସମସ୍ତଙ୍କୁ ସମନ୍ୱୟ ରକ୍ଷା କରି କାମ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ବୈଠକରେ ରାଜ୍ୟର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଓ ବିକାଶ ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
