ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୌସୁମୀ ବର୍ଷା ଯେପରି ଦେଶ ପାଇଁ କଲ୍ୟାଣକାରୀ, ସେହିପରି ମୌସୁମୀ ଅଧିବେଶନ ମଧ୍ୟ ଜନସାଧାରଣଙ୍କ କଲ୍ୟାଣ ପାଇଁ ଫଳପ୍ରଦ ହେବା ଆବଶ୍ୟକ। ସେ କହିଛନ୍ତି, ଉଭୟ ସକାରାତ୍ମକ ରହିଲେ ଦେଶ ଓ ସମାଜ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱରେ ଲଗାତାର ଯୁଦ୍ଧ ଭଳି ପରିସ୍ଥିତି ଜାରି ରହିଛି। ପଶ୍ଚିମ ଏସିଆର ଅସ୍ଥିରତା ଭାରତ ସମେତ ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ଏହା ସତ୍ତ୍ୱେ ଭାରତ ୭.୭ ପ୍ରତିଶତ ଅଭିବୃଦ୍ଧି ହାର ସହ ଆଗକୁ ବଢ଼ୁଛି, ଯାହା ଦେଶର ଆର୍ଥିକ ସାମର୍ଥ୍ୟ ଓ ସ୍ଥିରତାର ପ୍ରମାଣ ବୋଲି ସେ କହିଛନ୍ତି।
ଗତ କିଛି ମାସ ମଧ୍ୟରେ ଦେଶ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଜାତୀୟ, ଆନ୍ତର୍ଜାତୀୟ ଏବଂ ମହାକାଶ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଜଣେ ଭାରତୀୟ ନାଗରିକଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ପହଞ୍ଚିବା ଏବଂ ଏକ ଭାରତୀୟ ଷ୍ଟାର୍ଟଅପ୍ର ସଫଳତା ଦେଶର ଯୁବଶକ୍ତିର ଅସୀମ ସମ୍ଭାବନାର ପ୍ରତୀକ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ସମ୍ପ୍ରତି ରାଜସ୍ଥାନରେ ଏକ ବୃହତ୍ ତୈଳ ବିଶୋଧନାଗାର ଦେଶକୁ ଉତ୍ସର୍ଗ କରାଯାଇଛି। ଏହାସହ ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟର ଶୁଭାରମ୍ଭ ହୋଇଥିବା ବେଳେ, ସବୁଜ ହାଇଡ୍ରୋଜେନ୍ରେ ଚାଲୁଥିବା ଟ୍ରେନ୍କୁ ମଧ୍ୟ ଦେଶବାସୀଙ୍କୁ ସମର୍ପଣ କରାଯାଇଛି। ବିଶ୍ୱର ଖୁବ କମ୍ ଦେଶ ପାଖରେ ଏପରି ପ୍ରଯୁକ୍ତି ଥିବା ବେଳେ, ଭାରତର ହାଇଡ୍ରୋଜେନ୍ ଟ୍ରେନ୍ ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ୍ ଓ ଦୀର୍ଘ ରେକ୍ ସହିତ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।
ସଂସଦୀୟ କାର୍ଯ୍ୟକଳାପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ଯୁକ୍ତି ଓ ତଥ୍ୟର ଗୁରୁତ୍ୱ ସର୍ବାଧିକ। ଯଦି ତଥ୍ୟ ଓ ଯୁକ୍ତି ଦୃଢ଼ ଥାଏ, ତେବେ ହଟ୍ଟଗୋଳର ଆବଶ୍ୟକତା ନାହିଁ। ସଂସଦରେ ଆଲୋଚନା ସଦା ତଥ୍ୟ ଓ ଯୁକ୍ତି ଭିତ୍ତିକ ହେବା ଉଚିତ୍ ଏବଂ ପ୍ରତ୍ୟେକ ସାଂସଦଙ୍କୁ ନିଜର ମତ ରଖିବାର ସୁଯୋଗ ମିଳିବା ଦରକାର। ସମସ୍ତ ସାଂସଦ ଏହି ଅଧିବେଶନକୁ ଫଳପ୍ରଦ କରିବାରେ ସହଯୋଗ କରନ୍ତୁ ବୋଲି ସେ ଆହ୍ୱାନ ଜଣାଇଛନ୍ତି।
