ଭୁବନେଶ୍ୱର: ରାଜ୍ୟରେ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଜୋରଦାର କରିଛନ୍ତି। ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାବେଳେ ଆସନ୍ତାକାଲି (ମଙ୍ଗଳବାର) ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ନିର୍ବାଚନ ଆୟୋଗ ଏକ ସମୀକ୍ଷା ବୈଠକ କରିବେ।
ଏହି ବୈଠକରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନର ପ୍ରସ୍ତୁତି, ଭୋଟର ତାଲିକା ପ୍ରସ୍ତୁତି, ୱାର୍ଡ ସର୍ଭେ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା ହେବ।
ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତ, ୮୫୩ଟି ଜିଲ୍ଲା ପରିଷଦ ଆସନ ଏବଂ ୯୧,୯୧୩ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୫ ପରେ SIR (Special Intensive Revision)ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଅକ୍ଟୋବର ମାସରେ ଘରକୁ ଘର ବୁଲି ଭୋଟର ଯାଞ୍ଚ ଓ ୱାର୍ଡଭିତ୍ତିକ ସର୍ଭେ କରାଯିବ।
ପ୍ରଥମ ଥର ପାଇଁ ୱାର୍ଡ ସୀମାଜନିତ ସମସ୍ୟା ଓ ଭୋଟରଙ୍କ ବୁଥ୍ ସମ୍ବନ୍ଧୀୟ ଗଡ଼ବଡ଼ ଏଡ଼ାଇବା ଉଦ୍ଦେଶ୍ୟରେ ଡୋର୍-ଟୁ-ଡୋର୍ ସର୍ଭେ କରାଯିବ। ଏହାଦ୍ୱାରା ଗୋଟିଏ ୱାର୍ଡର ସମସ୍ତ ଭୋଟର ସେହି ୱାର୍ଡର ନିର୍ଦ୍ଦିଷ୍ଟ ବୁଥ୍ରେ ଭୋଟ୍ ଦେଇପାରିବେ ବୋଲି ଆୟୋଗ ଲକ୍ଷ୍ୟ ରଖିଛନ୍ତି।
ସେପଟେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ସମ୍ପ୍ରତି ପୌରାଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବାବେଳେ, ପୌରାଞ୍ଚଳରେ ମଧ୍ୟ ଡୋର୍-ଟୁ-ଡୋର୍ ସର୍ଭେ କରାଯିବ। ଏଥିପାଇଁ ୧୨ ହଜାର EVM ସହ ଅତିରିକ୍ତ ୬ ହଜାର ନୂଆ EVM ଆବଶ୍ୟକ ହେବ ବୋଲି ଆୟୋଗ ଆକଳନ କରିଛନ୍ତି।
ଏନଏସି ଅଞ୍ଚଳରେ ଗୋଟିଏ ୱାର୍ଡକୁ ଗୋଟିଏ ବୁଥ୍ କରାଯିବାକୁ ଯୋଜନା ରହିଛି। ସମୁଦାୟ ୧୪୩ଟି ପୌରସଂସ୍ଥା (ମ୍ୟୁନିସିପାଲ କର୍ପୋରେସନ, ପୌରପାଳିକା ଓ ଏନଏସି) ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ସୂଚନାନୁସାରେ, ମାର୍ଚ୍ଚ ୨୦୨୭ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏପ୍ରିଲ୍-ମେ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଏକାଠି ଅନୁଷ୍ଠିତ ହେବ। ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଲକ୍ଷ୍ୟ ରଖିଛନ୍ତି।
