Home Cultureସିଂହଦ୍ୱାରରେ ତିନି ରଥ: ଆଜି ସୁନାବେଶ, ସନ୍ଧ୍ୟା ୫ଟାରୁ ଦର୍ଶନ

ସିଂହଦ୍ୱାରରେ ତିନି ରଥ: ଆଜି ସୁନାବେଶ, ସନ୍ଧ୍ୟା ୫ଟାରୁ ଦର୍ଶନ

by Lokanath Panigrahi
0 comments

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଜନ୍ମବେଦୀ ଲୀଳା ସମାପ୍ତ କରି ଚତୁର୍ଦ୍ଧା ବିଗ୍ରହ ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଛନ୍ତି। ଅନୁକୂଳ ପାଗ ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା।

ବାହୁଡ଼ା ଯାତ୍ରା ପାଇଁ ସକାଳୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କିଛିଟା ବିଳମ୍ବରେ ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜଙ୍କ ଛେରାପହଁରା ପରେ ଅପରାହ୍ଣରେ ତିନି ରଥର ରଥଟଣା ଆରମ୍ଭ ହୋଇଥିଲା।

ତାଳଧ୍ୱଜ ରଥ ଅପରାହ୍ଣ ୪ଟା ୨୯ ମିନିଟ୍, ଦର୍ପଦଳନ ରଥ ୫ଟା ୦୭ ମିନିଟ୍ ଏବଂ ନନ୍ଦିଘୋଷ ରଥ ୫ଟା ୪୨ ମିନିଟ୍ରେ ଗଡ଼ିଥିଲା। ରାତି ସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଶ୍ରୀନଅର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ପରେ ନନ୍ଦିଘୋଷ ରଥ ରାତି ପ୍ରାୟ ୧୦ଟା ୫୫ ମିନିଟ୍ରେ ସିଂହଦ୍ୱାରରେ ପହଞ୍ଚିଥିଲା।

ଆଜି ସୁନାବେଶ

ବାହୁଡ଼ା ଯାତ୍ରା ପରେ ଆଷାଢ଼ ଶୁକ୍ଳ ଏକାଦଶୀ ଅବସରରେ ଶନିବାର ମହାପ୍ରଭୁଙ୍କ ପ୍ରସିଦ୍ଧ ସୁନାବେଶ ଅନୁଷ୍ଠିତ ହେବ। ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଶ୍ରୀଜିଉମାନେ ସୁନାର ମୁକୁଟ, ଚକ୍ର, ଗଦା, ହଳ-ମୂଷଳ ସହ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।

ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନର ସୁଯୋଗ ରହିବ। ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ ଓ ସ୍ୱତନ୍ତ୍ର ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।

ପରବର୍ତ୍ତୀ କାର୍ଯ୍ୟକ୍ରମ

  • ୨୫ ଜୁଲାଇ: ସୁନାବେଶ
  • ୨୬ ଜୁଲାଇ: ଅଧରପଣା ନୀତି ଓ ଗରୁଡ଼ ଶୟନ
  • ୨୭ ଜୁଲାଇ: ନୀଳାଦ୍ରି ବିଜେ

ବାହୁଡ଼ା ଯାତ୍ରାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ବାହୁଡ଼ା ଯାତ୍ରା ସମୟରେ ଦର୍ପଦଳନ ରଥ ନିକଟରେ କଟକର ଅଭିମନ୍ୟୁ ଦାସ (୫୭) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେ ଭୁବନେଶ୍ୱର ବିଜେବି କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ସେ ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ।

You may also like

Leave a Comment