ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଥିବା ଡିପ୍ ଡିପ୍ରେସନ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଏହି ସୂଚନା ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଦିଆଯାଇଛି।
ଆଇଏମଡିର ସର୍ବଶେଷ ବୁଲେଟିନ୍ ଅନୁଯାୟୀ, ଏହା ବାରିପଦାଠାରୁ ପ୍ରାୟ ୧୦ କିଲୋମିଟର ଦକ୍ଷିଣ-ପୂର୍ବ, ବାଲେଶ୍ୱରଠାରୁ ୪୦ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମ, ପଶ୍ଚିମବଙ୍ଗର ମିଦନାପୁରଠାରୁ ୮୦ କିଲୋମିଟର ଦକ୍ଷିଣ-ପଶ୍ଚିମ, ଝାଡ଼ଖଣ୍ଡର ଜାମସେଦପୁରଠାରୁ ୧୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ କେନ୍ଦୁଝରଠାରୁ ୧୪୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ଅବସ୍ଥିତ ରହିଛି।
ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଡିପ୍ ଡିପ୍ରେସନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଗତ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବାଲେଶ୍ୱର ସମେତ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ସହ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
