ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାର ନାମ ପୁଣିଥରେ ‘ସନ୍ତ ରବିଦାସ ନଗର’ କରିବାକୁ ଯୋଗୀ ସରକାର ନେଇଥିବା ନିଷ୍ପତ୍ତିକୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସ୍ୱାଗତ କରିଛନ୍ତି। ସେ ଏହି ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ସମାଜବାଦୀ ପାର୍ଟି ସରକାର ସମୟରେ ପରିବର୍ତ୍ତନ କରାଯାଇଥିବା ଅନ୍ୟ ଜିଲ୍ଲାଗୁଡ଼ିକର ପୁରୁଣା ନାମ ମଧ୍ୟ ପୁନଃ ବହାଲ କରିବାକୁ ଦାବି କରିଛନ୍ତି।
ସୋସିଆଲ ମିଡିଆରେ ଜାରି କରିଥିବା ବୟାନରେ ମାୟାବତୀ କହିଛନ୍ତି, ବିଏସପି ସରକାର ସମୟରେ ଭଦୋହୀକୁ ଜିଲ୍ଲାର ମାନ୍ୟତା ଦେଇ ଏହାର ନାମ ‘ସନ୍ତ ରବିଦାସ ନଗର’ ରଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମାଜବାଦୀ ପାର୍ଟି ସରକାର ନିଜର ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରା ଯୋଗୁଁ ଏହି ନାମ ପରିବର୍ତ୍ତନ କରିଥିଲା। ବର୍ତ୍ତମାନ ଯୋଗୀ ସରକାର ପୁଣିଥରେ ସେହି ନାମକୁ ବହାଲ କରିଥିବାରୁ ବିଏସପି ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜଣାଯାଉଛି।
ମାୟାବତୀ କହିଛନ୍ତି, ବିଏସପିର ଚାରୋଟି ସରକାର ସମୟରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଲୋକଙ୍କୁ ଭଲ ସେବା ଯୋଗାଇବା ପାଇଁ ଅନେକ ନୂଆ ଜିଲ୍ଲା, ତହସିଲ, ବିକାଶଖଣ୍ଡ ଓ ପୋଲିସ ଜୋନ୍ ଗଠନ କରାଯାଇଥିଲା। ସେହି ସମୟରେ ଦଳିତ ଓ ଅନ୍ୟାନ୍ୟ ପଛୁଆ ବର୍ଗର ମହାନ ସନ୍ଥ, ଗୁରୁ ଓ ମହାପୁରୁଷଙ୍କ ନାମରେ ଅନେକ ଜିଲ୍ଲାର ନାମକରଣ କରାଯାଇଥିଲା।
ସେ ଅଭିଯୋଗ କରିଛନ୍ତି ଯେ, ସମାଜବାଦୀ ପାର୍ଟି ସରକାର କେବଳ ରାଜନୈତିକ କାରଣରୁ ସନ୍ତ ରବିଦାସ ନଗର, ଛତ୍ରପତି ଶାହୁଜୀ ମହାରାଜ ନଗର, ଭୀମ ନଗର ସମେତ ଅନେକ ଜିଲ୍ଲାର ନାମ ପରିବର୍ତ୍ତନ କରିଥିଲା।
ମାୟାବତୀ ଆହୁରି କହିଛନ୍ତି ଯେ, ବ୍ରଜ ଅଞ୍ଚଳର କାସଗଞ୍ଜର ବିକାଶ ପାଇଁ ବିଏସପି ସରକାର ମାନ୍ୟବର କାଂଶୀରାମଙ୍କ ନାମରେ ଏକ ନୂଆ ଜିଲ୍ଲା ଗଠନ କରିଥିଲା। କିନ୍ତୁ ସମାଜବାଦୀ ପାର୍ଟି ସରକାର ସେହି ନାମକୁ ମଧ୍ୟ ପରିବର୍ତ୍ତନ କରିଦେଇଥିଲା।
ସେ ଯୋଗୀ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ସନ୍ତ ରବିଦାସ ନଗର ଭଳି କାଂଶୀରାମ ଏବଂ ଅନ୍ୟ ମହାପୁରୁଷଙ୍କ ନାମରେ ଥିବା ସମସ୍ତ ଜିଲ୍ଲାର ପୁରୁଣା ନାମ ମଧ୍ୟ ପୁନଃ ବହାଲ କରାଯାଉ। ବିଶେଷ କରି ଅକ୍ଟୋବର ୯, ମାନ୍ୟବର କାଂଶୀରାମଙ୍କ ପରିନିର୍ବାଣ ଦିବସ ପୂର୍ବରୁ କିମ୍ବା ସେହି ଦିନ ଏହି ଘୋଷଣା କରାଗଲେ ବିଏସପି ଏଥିପାଇଁ ସରକାରଙ୍କ ପ୍ରତି କୃତଜ୍ଞ ରହିବ ବୋଲି ସେ କହିଛନ୍ତି।
