ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିବା ସହ ଅଳଭା ନିକଟରେ ନଦୀଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ପଞ୍ଚାୟତ ଏବଂ ପୌରାଞ୍ଚଳର ୫ଟି ୱାର୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।
କାଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁ ତିନି ନଦୀ ଘେରା ସିଂହଗାଁ ଗ୍ରାମ ପଞ୍ଚାୟତର ପରିସ୍ଥିତି ସବୁଠାରୁ ଅଧିକ ଗମ୍ଭୀର ହୋଇପଡ଼ିଛି। ପ୍ରାୟ ୫ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ବେଳେ କୃଷ୍ଣଦାସପୁର, ସାନରାଉଳିଆ, ବଡ଼ରାଉଳିଆ, ସିଂହଗାଁ ଓ ପାଣିସାଉଁଳିଆ ଭଳି ଗାଁଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। ଅନେକ ଘରେ ପାଣି ପଶିଯାଇଥିବାରୁ ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ଗାଁ ଭିତର ରାସ୍ତାରେ ପ୍ରବଳ ସ୍ରୋତ ବହୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଡଙ୍ଗାର ଅଭାବ ଯୋଗୁ ଅନେକ ପରିବାର ଘରୁ ବାହାରିପାରୁ ନାହାନ୍ତି। ବିଦ୍ୟୁତ ସେବା ବନ୍ଦ ଥିବାରୁ ଯୋଗାଯୋଗ ଓ ଦୈନନ୍ଦିନ ଜୀବନରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହଠାତ୍ ବନ୍ୟାଜଳ ବଢ଼ିବାରୁ ପୂର୍ବ ପ୍ରସ୍ତୁତି ପାଇଁ ସମୟ ମିଳିନଥିଲା। ଫଳରେ ଖାଦ୍ୟ, ପାନୀୟ ଜଳ ଓ ଜରୁରୀ ସାମଗ୍ରୀର ଅଭାବ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳକୁ ସହାୟତା ଓ ଉଦ୍ଧାର କାର୍ଯ୍ୟ ପହଞ୍ଚାଇବା ପାଇଁ ପଦକ୍ଷେପ ଜାରି ରହିଛି।
