Home Featuredଭୁଲ ଇଞ୍ଜେକ୍ସନ୍‌ରେ ମହିଳା ମୃତ!

ଭୁଲ ଇଞ୍ଜେକ୍ସନ୍‌ରେ ମହିଳା ମୃତ!

by Lokanath Panigrahi
0 comments

ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଚିକିତ୍ସାରେ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ ଔଷଧ ଦୋକାନରେ ଦିଆଯାଇଥିବା ଇଞ୍ଜେକ୍ସନ୍ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ହଠାତ୍ ଅବନତି ଘଟିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକ ହେଲେ ଗେଟିପଡ଼ା ଅଞ୍ଚଳର ୫୪ ବର୍ଷୀୟା ବିଦିଆ କୁମାର। ସୂଚନା ଅନୁସାରେ, ସେ କିଛି ଦିନ ଧରି ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଔଷଧ ସେବନ କରିବା ପରେ ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ସେ ଚାନ୍ଦିଲି ଅଞ୍ଚଳର ଏକ ମେଡିସିନ୍ ଷ୍ଟୋରକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ତାଙ୍କୁ ଏକ ଇଞ୍ଜେକ୍ସନ୍ ଦେଇଥିବା କୁହାଯାଉଛି।

ପରିବାରର ଅଭିଯୋଗ ଅନୁସାରେ, ଇଞ୍ଜେକ୍ସନ୍ ନେବାର କିଛି ସମୟ ପରେ ମହିଳାଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଜେକେପୁର ସ୍ଥିତ ଇଏସଆଇ ହସ୍ପିଟାଲକୁ ନିଆଯାଉଥିଲା। ତେବେ ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ କିମ୍ବା ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଘଟଣା ପରେ ମୃତକଙ୍କ ପରିବାର ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଇଞ୍ଜେକ୍ସନ୍ ଦେଇଥିବା ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।ତେବେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଥିଲା ଏବଂ ଇଞ୍ଜେକ୍ସନ୍ ସହ ଏହାର ସିଧାସଳଖ ସମ୍ପର୍କ ରହିଛି କି ନାହିଁ, ତାହା ତଦନ୍ତ ଏବଂ ଡାକ୍ତରୀ ରିପୋର୍ଟ ପରେ ସ୍ପଷ୍ଟ ହେବ।

You may also like

Leave a Comment