Home Odisha୩୫ ବର୍ଷର ଜମି ବିବାଦରେ ବଡ଼ ନିଷ୍ପତ୍ତି: K-7 ପ୍ଲଟ୍‌ଧାରୀଙ୍କୁ ମିଳିଲା ଆଶ୍ୱସ୍ତି

୩୫ ବର୍ଷର ଜମି ବିବାଦରେ ବଡ଼ ନିଷ୍ପତ୍ତି: K-7 ପ୍ଲଟ୍‌ଧାରୀଙ୍କୁ ମିଳିଲା ଆଶ୍ୱସ୍ତି

by Akshay Maharana
0 comments

୨୦୦ରୁ ଅଧିକ ମାମଲାର ଫଇସଲା, ପ୍ରକୃତ ଆବଣ୍ଟିତଙ୍କ ନାଁରେ RoR ସଂଶୋଧନ ପାଇଁ ନିର୍ଦ୍ଦେଶ, ଦୀର୍ଘ ୩୫ ବର୍ଷର ଅପେକ୍ଷାରେ ଶେଷରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। କଳିଙ୍ଗନଗର K-7 ପ୍ଲଟେଡ୍‌ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀମାନେ ଦୀର୍ଘଦିନ ଧରି ଭୋଗୁଥିବା ଜମି ରେକର୍ଡ ସମସ୍ୟାର ସମାଧାନ ହୋଇଛି। ରାଜସ୍ୱ ରେକର୍ଡରେ ଥିବା ଅସଙ୍ଗତି ଦୂର କରି ୨୦୦ରୁ ଅଧିକ K-7 ମାମଲାର ଫଇସଲା କରାଯାଇଛି।

୧୯୯୧ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ପକ୍ଷରୁ କଳିଙ୍ଗନଗର K-7 ଯୋଜନାରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍‌ ଆବଣ୍ଟନ କରାଯାଇଥିଲା। ଆବଣ୍ଟନ ପରେ ହିତାଧିକାରୀମାନେ ନିଜ ନିଜ ପ୍ଲଟ୍‌ର ଅଧିକାର ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ୱ ରେକର୍ଡରେ ସୃଷ୍ଟି ହୋଇଥିବା ତ୍ରୁଟି ଯୋଗୁଁ ଏହି ପ୍ଲଟ୍‌ଧାରୀମାନେ ବର୍ଷ ବର୍ଷ ଧରି ସମସ୍ୟାରେ ପଡ଼ିଥିଲେ।

୨୦୧୩-୧୪ର ଅନ୍ତିମ ସେଟଲମେଣ୍ଟ ସମୟରେ ଆବଣ୍ଟିତ ପ୍ଲଟ୍‌ଗୁଡ଼ିକର ରେକର୍ଡ ଅଫ୍‌ ରାଇଟ୍ସ (RoR)ରେ ଜମିର ବିଭିନ୍ନ ଅଂଶ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାଁରେ ରେକର୍ଡ ହୋଇଥିଲା। ଫଳରେ BDA ଠାରୁ ଆଇନସମ୍ମତ ଭାବେ ପ୍ଲଟ୍‌ ପାଇଥିବା ଲୋକମାନେ ନିଜ ନାଁରେ RoR ପାଇବା ପାଇଁ ବିଭିନ୍ନ ସରକାରୀ ଅଫିସ୍‌କୁ ବାରମ୍ବାର ଦୌଡ଼ିବାକୁ ବାଧ୍ୟ ହୋଇଥିଲେ।

ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ରାଜସ୍ୱ ବୋର୍ଡର ସଦସ୍ୟ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶକ୍ରମେ ମାମଲାଗୁଡ଼ିକୁ ପ୍ରାଥମିକତା ଦିଆଯାଇଥିଲା। BDA, ସାଧାରଣ ପ୍ରଶାସନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କୁ ନେଇ ଏକ ମିଳିତ ଟିମ୍‌ ଗଠନ କରାଯାଇଥିଲା।

ଟିମ୍‌ ପକ୍ଷରୁ ସ୍ଥଳସ୍ତରରେ ଯାଞ୍ଚ କରାଯାଇ ମୂଳ ଆବଣ୍ଟନ ଅନୁଯାୟୀ ଜମିର ପ୍ରକୃତ ପରିମାଣ ଓ ସ୍ଥିତି ଚିହ୍ନଟ କରାଯାଇଥିଲା। ରାଜସ୍ୱ ରେକର୍ଡରେ ଥିବା ଜମିର ପରିମାଣ ଏବଂ ବାସ୍ତବ ସ୍ଥିତି ମଧ୍ୟରେ ଥିବା ତାରତମ୍ୟକୁ ଯାଞ୍ଚ କରି ରିପୋର୍ଟ ଦାଖଲ କରାଯାଇଥିଲା।

ଏହି ମିଳିତ ଯାଞ୍ଚ ରିପୋର୍ଟ ଓ ସମ୍ପୃକ୍ତ ଦସ୍ତାବିଜ ଆଧାରରେ ସେପ୍ଟେମ୍ବର ୧୦, ୨୦୨୬ରେ ୨୦୦ରୁ ଅଧିକ K-7 ମାମଲାର ଫଇସଲା କରାଯାଇଛି। ଭୁବନେଶ୍ୱର ତହସିଲଦାରଙ୍କୁ ମୂଳ ଆବଣ୍ଟନ ଅନୁଯାୟୀ ଜମିର ପରିମାଣ ଓ ମାଲିକାନା ସମ୍ପର୍କିତ ତଥ୍ୟ ସଂଶୋଧନ କରିବା ସହ ପ୍ରକୃତ ହିତାଧିକାରୀଙ୍କ ନାଁରେ ବର୍ତ୍ତମାନର RoR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ସମ୍ପନ୍ନ କରିବାକୁ ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି।

ଏହି ନିଷ୍ପତ୍ତି K-7 ପ୍ଲଟ୍‌ଧାରୀଙ୍କ ପାଇଁ କେବଳ ମାମଲାର ଫଇସଲା ନୁହେଁ, ବରଂ ଦୀର୍ଘ ୩୫ ବର୍ଷର ଅପେକ୍ଷା, ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବା ଏବଂ ମାନସିକ ଚାପରୁ ମୁକ୍ତିର ଏକ ବଡ଼ ପଦକ୍ଷେପ। ନିଜ ନାଁରେ RoR ମିଳିବା ପରେ ହିତାଧିକାରୀମାନେ ଜମି ସହ ଜଡ଼ିତ ବିଭିନ୍ନ ସରକାରୀ ସେବା ଓ ସୁବିଧା ପାଇବାରେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ଏହି ପଦକ୍ଷେପ ପରେ K-8 ପ୍ଲଟେଡ୍‌ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀଙ୍କ ଜମି ରେକର୍ଡ ସମସ୍ୟାର ସମାଧାନ ପାଇଁ ମଧ୍ୟ BDA ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। K-7ର ଦୀର୍ଘଦିନର ସମସ୍ୟାର ସମାଧାନ ପରେ ଏବେ K-8 ହିତାଧିକାରୀଙ୍କ ମଧ୍ୟରେ ମଧ୍ୟ ଆଶା ସଞ୍ଚାର ହୋଇଛି।

You may also like

Leave a Comment