୯ ଲକ୍ଷ ନିଯୁକ୍ତିର ସମ୍ଭାବନା, ରାଜ୍ୟର ମୋଟ ନିବେଶ ପ୍ରସ୍ତାବ ଛୁଇଁଲା ₹୨୨.୫ ଲକ୍ଷ କୋଟି, ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ରାଜ୍ୟର ଶିଳ୍ପାୟନ ଅଭିଯାନକୁ ନୂଆ ଗତି ଦେଇଥିବାବେଳେ ଓଡ଼ିଶାକୁ ₹୨.୪୩ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
UAE ଗସ୍ତ ସମୟରେ ସମୁଦାୟ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସହ ୧୬ଟି Investment Intent ସୃଷ୍ଟି ହୋଇଛି। ଏହା ମାଧ୍ୟମରେ ₹୨,୪୩,୧୬୨ କୋଟିର ନିବେଶ ସମ୍ଭାବନା ତିଆରି ହୋଇଥିବାବେଳେ ୬,୧୮,୭୨୫ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି। ପରୋକ୍ଷ ନିଯୁକ୍ତିକୁ ମିଶାଇ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରେ।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ପୂର୍ବରୁ ହାସଲ ହୋଇଥିବା ₹୨୦ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବକୁ ଯୋଡ଼ିଲେ ଏବେ ରାଜ୍ୟର ସମୁଦାୟ ପୁଞ୍ଜି ନିବେଶ ପ୍ରସ୍ତାବ ପ୍ରାୟ ₹୨୨.୫ ଲକ୍ଷ କୋଟିରେ ପହଞ୍ଚିଛି।
ସେପ୍ଟେମ୍ବର ୮ରୁ ୧୨ ପର୍ଯ୍ୟନ୍ତ ହୋଇଥିବା UAE ଗସ୍ତରେ ଆବୁଧାବି ଓ ଦୁବାଇରେ ତିନିଦିନ ଧରି ବ୍ୟାପକ ନିବେଶ ଆଲୋଚନା ହୋଇଥିଲା। ୫୨ଟି ବିଜନେସ୍ ମିଟିଂ, ୬ଟି ରାଉଣ୍ଡଟେବୁଲ୍ ବୈଠକ ଓ ୪୬ଟି ୱାନ୍-ଟୁ-ୱାନ୍ ମିଟିଂରେ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଥିଲା।
ଗସ୍ତ ସମୟରେ UAEର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବ୍ଦୁଲା ବିନ୍ ତକ୍ ଅଲ୍ ମାରି ଏବଂ IHCର ପରିଚାଳନା ନିର୍ଦ୍ଦେଶକ ସୟଦ ବସର୍ ସୁଏବ୍ଙ୍କ ସହିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। IHC ଓ Adani Groupର ସହଭାଗିତାକୁ ଆଗକୁ ନେଇ ଓଡ଼ିଶାରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ଓ ସୁନ୍ଦରଗଡ଼ରେ Integrated Aluminium Project ସ୍ଥାପନ ନେଇ ମଧ୍ୟ ପ୍ରୟାସ ଜାରି ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଯୁବପିଢ଼ି ପାଠପଢ଼ା ଶେଷ କରି ନିଜ ମାଟିରେ ସମ୍ମାନଜନକ ଚାକିରି ପାଇବା ସରକାରଙ୍କ ମୂଳ ଲକ୍ଷ୍ୟ। ଏଥିପାଇଁ ଶିଳ୍ପାୟନ ସହ ଯୁବବର୍ଗଙ୍କୁ employment-ready କରିବାକୁ skill training ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଏବଂ ଆସନ୍ତା ଦଶ ବର୍ଷରେ ରାଜ୍ୟକୁ ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ରହିଛି। ଏବେ ସରକାରଙ୍କ ପରବର୍ତ୍ତୀ ଚ୍ୟାଲେଞ୍ଜ ହେଉଛି ହାସଲ ହୋଇଥିବା ନିବେଶ ପ୍ରସ୍ତାବ ଓ MoUଗୁଡ଼ିକୁ ଶୀଘ୍ର ଭୂମିସ୍ତରରେ କାର୍ଯ୍ୟକାରୀ କରି ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟିକୁ ବାସ୍ତବ ରୂପ ଦେବା।
