Home Featured୮ ଦିନ ପରେ ବି ଖୋଲିନି ଓରାଂଉଟାନ୍‌ ରହସ୍ୟ, ତଦନ୍ତ ଜାରି

୮ ଦିନ ପରେ ବି ଖୋଲିନି ଓରାଂଉଟାନ୍‌ ରହସ୍ୟ, ତଦନ୍ତ ଜାରି

by Sunita Jena
0 comments

ବାଲେଶ୍ୱର ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍‌ ଉଦ୍ଧାର ଘଟଣାକୁ ଆଠ ଦିନ ବିତିଛି। ଏହି ବିରଳ ବନ୍ୟପ୍ରାଣୀଗୁଡ଼ିକ ଇଣ୍ଡୋନେସିଆ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ, ସେଗୁଡ଼ିକ ଓଡ଼ିଶାରେ କିପରି ପହଞ୍ଚିଲେ ତାହାର ତଦନ୍ତ ଚାଲିଛି। ଘଟଣାର ତଦନ୍ତ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ କରୁଛି। ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲୁସିସିବି) ପକ୍ଷରୁ ମଧ୍ୟ ଗୁଇନ୍ଦା ସୂଚନା ଓ ବୈଷୟିକ ସହଯୋଗ ଯୋଗାଇ ଦିଆଯାଉଛି। ତେବେ ଏପର୍ଯ୍ୟନ୍ତ ଓରାଂଉଟାନ୍‌ଗୁଡ଼ିକର ଉତ୍ସ ଓ ଏହା ପଛରେ ଥିବା ଲୋକଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ସୂଚନା ମିଳିଛି।

ସାଧାରଣତଃ ଓରାଂଉଟାନ୍‌ ଦକ୍ଷିଣ-ପୂର୍ବ ଏସିଆର ଇଣ୍ଡୋନେସିଆ ଓ ମାଲେସିଆରେ ଦେଖାଯାଆନ୍ତି। ଭାରତଠାରୁ ଦୂରବର୍ତ୍ତୀ ଏହି ଅଞ୍ଚଳରୁ ଏଭଳି ବନ୍ୟପ୍ରାଣୀ ଓଡ଼ିଶାରେ ପହଞ୍ଚିବା ଘଟଣାକୁ ନେଇ ବନ୍ୟପ୍ରାଣୀ ଚୋରାଚାଲାଣ ଦିଗକୁ ମଧ୍ୟ ତଦନ୍ତକାରୀମାନେ ଗୁରୁତ୍ୱ ଦେଉଛନ୍ତି। ଏହି ମାମଲାରେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳର ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କ ସମ୍ପୃକ୍ତି ନେଇ ଆଲୋଚନା ହେଉଛି। ତେବେ ଏହି ସମ୍ପୃକ୍ତି ନେଇ ତଦନ୍ତରୁ ନିଶ୍ଚିତ ତଥ୍ୟ ମିଳିଛି କି ନାହିଁ, ସେନେଇ ଅଧିକାରିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ଏହି ଦୁଇଜଣଙ୍କୁ ଖୋଜିବା ଓ ମାମଲା ସହ ସେମାନଙ୍କ ସମ୍ପର୍କ ଯାଞ୍ଚ କରିବା ପାଇଁ ଏସ୍‌ଟିଏଫ୍‌ର ଏକ ଟିମ୍‌ କୋଲକାତାରେ ତଦନ୍ତ ଚଳାଇଛି। ସେମାନଙ୍କ ଫୋନ୍‌ କଲ୍‌ ଡିଟେଲ୍‌ସ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।ଅନ୍ୟପଟେ, ତଦନ୍ତକାରୀ ଟିମ୍‌ ଦୀଘାର ସମ୍ପୃକ୍ତ ହୋଟେଲରେ ପହଞ୍ଚିବା ପୂର୍ବରୁ ସେଠାକାର ସିସିଟିଭି ଫୁଟେଜ୍‌ ଡିଲିଟ୍‌ ହୋଇଥିବା ନେଇ ମଧ୍ୟ ସୂଚନା ଆସିଛି। ଏହା ତଦନ୍ତକୁ ଆହୁରି ଜଟିଳ କରିଥିବା କୁହାଯାଉଛି।

ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ତଦନ୍ତ ଦାୟିତ୍ୱ ଏନ୍‌ଆଇଏ କିମ୍ବା ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦେବାକୁ ଦାବି କରିଛନ୍ତି। କିଛି ବିଶେଷଜ୍ଞ ମଧ୍ୟ ଘଟଣାର ଅନ୍ତର୍ଜାତୀୟ ପ୍ରସଙ୍ଗ ଥିବାରୁ ଅଧିକ ବ୍ୟାପକ ତଦନ୍ତର ଆବଶ୍ୟକତା ଥିବା ମତ ଦେଇଛନ୍ତି। ବିଦେଶୀ ବନ୍ୟପ୍ରାଣୀ ଓଡ଼ିଶାକୁ କେଉଁ ରାସ୍ତାରେ ଆସିଲା, ଏହା ପଛରେ କିଏ ଅଛନ୍ତି ଏବଂ ଘଟଣାରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ନେଟୱର୍କର କୌଣସି ଭୂମିକା ଅଛି କି ନାହିଁ—ଏସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଆବଶ୍ୟକ ହେଲେ ଇଣ୍ଟରପୋଲ୍‌ର ସହାୟତା ନେବା ଏବଂ ବିଦେଶରେ ତଦନ୍ତ କରିବାର ଆବଶ୍ୟକତା ଥିବା ନେଇ ମଧ୍ୟ ମତ ପ୍ରକାଶ ପାଇଛି।

You may also like

Leave a Comment