MMDR Amendment Act, 2026କୁ ନେଇ ବିଜେଡିର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ। ତାଙ୍କ କହିବା ଅନୁସାରେ, ବିରୋଧୀ ଦଳ ଭାବେ କେବଳ ଆନ୍ଦୋଳନ କରିବା ବଦଳରେ ସରକାରଙ୍କ ସମ୍ମୁଖରେ ବିକଳ୍ପ ପ୍ରସ୍ତାବ ଓ ତଥ୍ୟ ରଖିବା ଆବଶ୍ୟକ।
ମନମୋହନ ସାମଲ ଅଭିଯୋଗ କରିଛନ୍ତି ଯେ, ବିଜେଡି ବିଭିନ୍ନ ସମୟରେ କେନ୍ଦ୍ରର ନୀତି ଓ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଆସିଛି। GST ଠାରୁ ଆରମ୍ଭ କରି ଖଣି ଓ ରାଜସ୍ୱ ସମ୍ପର୍କିତ ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ବିରୋଧ ହୋଇଥିବା ସେ କହିଛନ୍ତି। ଖଣି କ୍ଷେତ୍ରରେ ରାଜ୍ୟର ରାଜସ୍ୱ କମିବ ବୋଲି ପୂର୍ବରୁ ଯେଉଁ ଆଶଙ୍କା ପ୍ରକାଶ କରାଯାଇଥିଲା, ବର୍ତ୍ତମାନ ରାଜ୍ୟ ଅଧିକ ରାଜସ୍ୱ ପାଉଛି ବୋଲି ସାମଲ ଦାବି କରିଛନ୍ତି। ତେବେ ଏପରି ଦାବି କିମ୍ବା ଆପତ୍ତି ଉପରେ ନିର୍ଦ୍ଦିଷ୍ଟ ଆକଳନ, ହିସାବ ଓ ପ୍ରମାଣ ରଖିବା ଦରକାର ବୋଲି ସେ ମତ ଦେଇଛନ୍ତି।
MMDR Amendment Actକୁ ବିରୋଧ କରିବା ପରିବର୍ତ୍ତେ ଆଇନରେ କେଉଁ ପରିବର୍ତ୍ତନ ଆବଶ୍ୟକ, ସେନେଇ ବିରୋଧୀ ଦଳ ସରକାରଙ୍କୁ ପ୍ରସ୍ତାବ ଦେଇପାରିଥାନ୍ତା ବୋଲି ସେ କହିଛନ୍ତି।
ଅନ୍ୟପଟେ, MMDR Amendment Act, 2026କୁ ନେଇ ବିଜେଡି ନିଜର ଆପତ୍ତି ଜାରି ରଖିଛି। ରାଜ୍ୟର ଖଣିଜ ସମ୍ପଦ, ଖଣିଜ ଜମି ଓ ଏଥିରୁ ମିଳୁଥିବା ରାଜସ୍ୱ ଉପରେ ଏହି ଆଇନର ପ୍ରଭାବ ପଡ଼ିପାରେ ବୋଲି ଦଳ ପକ୍ଷରୁ କୁହାଯାଉଛି। ଏହି ପ୍ରସଙ୍ଗରେ ସଂସଦ ସହ ରାଜ୍ୟରେ ମଧ୍ୟ ବିରୋଧ ଜାରି ରହିଛି। MMDR ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେଡି ଓ କଂଗ୍ରେସର ପ୍ରତିବାଦ ଯୋଗୁଁ ଗୃହ କାର୍ଯ୍ୟ ମଧ୍ୟ ଏକାଧିକ ଥର ପ୍ରଭାବିତ ହୋଇଛି।
