Home Odishaଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା, ୫.୬୧ କୋଟିର ପୁରସ୍କାର ଘୋଷଣା

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା, ୫.୬୧ କୋଟିର ପୁରସ୍କାର ଘୋଷଣା

by Lokanath Panigrahi
0 comments

ଭୁବନେଶ୍ୱର, ୧୬/୧୦: ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ଓଡ଼ିଶା ସରକାର ମୋଟ ୫.୬୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ସ୍ୱର୍ଣ୍ଣ ବିଜେତା ଖେଳାଳିମାନଙ୍କୁ ଆମ ଯୁବବର୍ଗର ପ୍ରକୃତ ଆଇକନ୍ ବୋଲି ଅଭିହିତ କରିଛନ୍ତି। ଖେଳାଳିଙ୍କ ସଫଳତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି। ଏଥିମଧ୍ୟରୁ ପୁରୁଷ ଦଳ ପାଇଁ ୨.୭୫ କୋଟି ଏବଂ ମହିଳା ଦଳ ପାଇଁ ୨.୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ଭାରତୀୟ ହକି ଦଳରେ ସାମିଲ ଓଡ଼ିଆ ଖେଳାଳି ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ଏହି ତିନି ଖେଳାଳିଙ୍କ ସଫଳତା ରାଜ୍ୟ ପାଇଁ ଗୌରବ ଆଣିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିମାନେ ଦେଶର ଯୁବପିଢ଼ିଙ୍କ ପାଇଁ ଆଦର୍ଶ। ବିଶେଷକରି ୪୪ ବର୍ଷ ପରେ ମହିଳା ହକି ଦଳର ସ୍ୱର୍ଣ୍ଣ ବିଜୟ ଦେଶର ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ଦଳର ଅଧିନାୟକ ସଲିମା ଟେଟେ ଓ ହରମନପ୍ରୀତ ସିଂଙ୍କ ନେତୃତ୍ୱକୁ ମଧ୍ୟ ସେ ଉଚ୍ଚ ପ୍ରଶଂସା କରିଛନ୍ତି।

ଜାତୀୟ ହକି ଦଳର ଅଫିସିଆଲ୍ ସ୍ପନ୍‌ସର୍ ଭାବେ ଓଡ଼ିଶା ସରକାର ନିଜର ପ୍ରତିବଦ୍ଧତା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଦେଶରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ମଧ୍ୟ ହକି ଇଭେଣ୍ଟ ଆୟୋଜନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ବାହାରେ ମଧ୍ୟ କ୍ରୀଡ଼ା ସୁବିଧା ବଢ଼ାଇବା ପାଇଁ ବ୍ଲକ୍‌ସ୍ତରରେ ୪,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି। ଗୋଠପାଟଣାରେ ୧,୦୦୦ କୋଟି ଟଙ୍କା ବ୍ୟୟରେ ଗ୍ଲୋବାଲ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ଏବଂ ୨୦୨୮ ବିଶ୍ୱ ଇନ୍‌ଡୋର୍ ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜନ ଓଡ଼ିଶାକୁ ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାରେ ସହାୟକ ହେବ।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଓଡ଼ିଶା ପାଇଁ ହକି କେବଳ ଏକ ଖେଳ ନୁହେଁ, ଏହା ଆବେଗ ଓ ଅସ୍ମିତାର ପ୍ରତୀକ। ଭାରତୀୟ ଦଳର ବିଜୟ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଯୁବ କ୍ରୀଡ଼ାବିତ୍‌ଙ୍କୁ ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରିବାକୁ ପ୍ରେରଣା ଯୋଗାଇବ।

ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଏବଂ ବିଭାଗୀୟ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

You may also like

Leave a Comment