Home » Blog » ରାଷ୍ଟ୍ରୀୟ ଏକତା ଦିବସ ପରେଡ୍‌ରେ ଓଡ଼ିଶାର ୧୦୦୦ ପ୍ରତିନିଧି

ରାଷ୍ଟ୍ରୀୟ ଏକତା ଦିବସ ପରେଡ୍‌ରେ ଓଡ଼ିଶାର ୧୦୦୦ ପ୍ରତିନିଧି

by Sunita Jena
0 comments

ନକ୍ସଲମୁକ୍ତ ଓଡ଼ିଶାର ଶାନ୍ତି ଓ ବିକାଶର ବାର୍ତ୍ତା ନେଇ ଗୁଜରାଟ ଯିବେ ପ୍ରତିନିଧି

ଗୁଜରାଟର ଏକତାନଗରରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ ପରେଡ୍‌ରେ ଓଡ଼ିଶାର ପ୍ରାୟ ୧୦୦୦ ଜଣ ପ୍ରତିନିଧି ଯୋଗଦେବେ। ନକ୍ସଲମୁକ୍ତ ଓଡ଼ିଶାର ସଫଳତା ସହ ରାଜ୍ୟରେ ଶାନ୍ତି, ସୁରକ୍ଷା ଓ ବିକାଶର ବାର୍ତ୍ତାକୁ ଜାତୀୟ ସ୍ତରରେ ପହଞ୍ଚାଇବା ଏହି ଅଂଶଗ୍ରହଣର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଗୁଜରାଟ ଅଭିମୁଖେ ଯାତ୍ରା କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି।

ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଏକତାନଗରରେ ଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ଏହି ଜାତୀୟ କାର୍ଯ୍ୟକ୍ରମ ହେବ। ଦେଶର ଏକତା ଓ ଅଖଣ୍ଡତା ପ୍ରତି ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଆଦର୍ଶକୁ ଆଗକୁ ନେବା ଏହି ଦିବସର ମୂଳ ଲକ୍ଷ୍ୟ। ଟ୍ରେନ୍‌ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ଦ୍ଦାର ପଟେଲ ନିଜର ଦୂରଦର୍ଶୀ ନେତୃତ୍ୱ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନେକ ଦେଶୀୟ ରାଜ୍ୟକୁ ଏକତ୍ର କରି ଭାରତର ଏକତାକୁ ସୁଦୃଢ଼ କରିଥିଲେ। ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅକ୍ଟୋବର ୩୧କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ମତରେ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହ ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଏବଂ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ପ୍ରଭାବିତ ଅଞ୍ଚଳର ଲୋକେ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବାର ସୁଯୋଗ ପାଉଛନ୍ତି।

ବିଶେଷକରି ୧୦ଟି ଜିଲ୍ଲାରେ ‘ଗ୍ରାମୋଦୟ ପ୍ଲସ୍’ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାକୁ ସମନ୍ୱିତ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଶାନ୍ତି ବଜାୟ ରଖିବା ସହ ଦ୍ରୁତ ବିକାଶ ହାସଲ କରିବା ଦିଗରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଦେଶରେ ଏକତା, ସହଯୋଗ ଓ ସାମୂହିକ ବିକାଶର ଭାବନାକୁ ଆହୁରି ମଜବୁତ କରିବା ପାଇଁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସଂକଳ୍ପ ସହ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

You may also like

Leave a Comment