ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ ଓ ଦୌଡ଼ର ଗୁରୁତ୍ୱକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାଜଧାନୀରେ ହେବାକୁ ଯାଉଛି ଟ୍ୱିନ୍ ସିଟି ମାରାଥନ। ନଭେମ୍ବର ୧ ତାରିଖରେ ଆଇରନମ୍ ପକ୍ଷରୁ ଆୟୋଜିତ ଏହି ଦୌଡ଼ ପ୍ରତିଯୋଗିତାରେ ୧୫୦୦ରୁ ଅଧିକ ରନର୍ସ ଅଂଶଗ୍ରହଣ କରିବେ। ଏନେଇ ଆୟୋଜକମାନେ ଏକ ସାମ୍ବାଦିକ ସମ୍ମିଳନୀରେ ମାରାଥନର ରୂପରେଖ ସମ୍ପର୍କରେ ସୂଚନା ଦେଇଛନ୍ତି।
ହାତିଆସୁଣୀ ଗ୍ରାଉଣ୍ଡରୁ ଆରମ୍ଭ ହେବାକୁ ଥିବା ଏହି ଦୌଡ଼ କଳିଙ୍ଗ ଷ୍ଟୁଡିଓ ନିକଟରେ ଶେଷ ହେବ। ମହିଳା ଓ ପୁରୁଷ ଉଭୟ ବର୍ଗର ପ୍ରତିଯୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ଦୂରତାର ବ୍ୟବସ୍ଥା ରହିଛି। ଫୁଲ୍ ମାରାଥନ, ହାଫ୍ ମାରାଥନ ସହ ୧୦, ୫ ଓ ୩ କିଲୋମିଟର ଦୌଡ଼ ଏଥିରେ ସାମିଲ ହୋଇଛି। ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କ ପାଇଁ ମୋଟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି।
ଏହି କ୍ରୀଡ଼ା ଆୟୋଜନରେ ମୁଖ୍ୟ ଅତିଥି ଭାବେ ଡିଜିପି ଆଣ୍ଟି ନକ୍ସଲ ଅପରେସନ୍ ଆଣ୍ଡ ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍ ସଞ୍ଜୀବ ପଣ୍ଡା ଯୋଗଦେବେ। ଏଥିସହ ବହୁ ମେଗା ମାରାଥନରେ ରେସ୍ ଡାଇରେକ୍ଟର ଭାବେ କାମ କରିଥିବା ଉମଙ୍ଗ ପଟେଲ ମଧ୍ୟ ଉପସ୍ଥିତ ରହିବେ।
କେବଳ ଗୋଟିଏ ଆୟୋଜନରେ ସୀମିତ ନ ରଖି ଭବିଷ୍ୟତରେ ଏହାକୁ ଏକ ବୃହତ୍ କ୍ରୀଡ଼ା ଆୟୋଜନରେ ପରିଣତ କରିବାକୁ ଆୟୋଜକଙ୍କ ଯୋଜନା ରହିଛି। ଅଧିକ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରିବା ସହ ଆଗାମୀ ଦିନରେ କଳିଙ୍ଗ ଷ୍ଟାଡିୟମରୁ କଟକର ବାରବାଟୀ ଷ୍ଟାଡିୟମ ଯାଏଁ ମାରାଥନ ଆୟୋଜନ କରିବାର ଲକ୍ଷ୍ୟ ରଖାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଆଇରନମ୍ର ପ୍ରତିଷ୍ଠାତା ତଥା ସିଇଓ ଗୋପାଳ କୃଷ୍ଣ ସାହୁଙ୍କ ସହ ୭୭ ବର୍ଷୀୟ ମାରାଥନ ରନର୍ ଦୁଃଖୀଶ୍ୟାମ ପାଢ଼ୀ ଉପସ୍ଥିତ ଥିଲେ। ଦୁଃଖୀଶ୍ୟାମ ଏଯାବତ୍ ୧୦୦ରୁ ଅଧିକ ମାରାଥନରେ ଭାଗ ନେଇସାରିଛନ୍ତି। ଏହାବ୍ୟତୀତ ବବିତା ମହାନ୍ତି, ଡକ୍ଟର ଶୁଭେନ୍ଦୁ ମିଶ୍ର, ବ୍ରଜ କିଶୋର ଶର୍ମା, ସନ୍ତୋଷୀ, ଡକ୍ଟର ସ୍ୱଦେଶ, ପର୍ଶୁରାମ ପଣ୍ଡା, ଶିବାଶିଷ, ମନୋଜ, ଅମୂଲ୍ୟ ଓ ଦୀପକ ମଧ୍ୟ ଉପସ୍ଥିତ ଥିଲେ
