ଓଡ଼ିଶାର ଶକ୍ତି କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। କଳାହାଣ୍ଡି ଜିଲ୍ଲାରେ ନିର୍ମାଣ ହେବ ୧୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ।ଏହି ପ୍ରକଳ୍ପ ପାଇଁ ୪,୮୦୮.୨୪ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍। ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ବା OHPC ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ।ଏହାର ନିର୍ମାଣ ଦାୟିତ୍ୱ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍ ବା MEILକୁ ପ୍ରଦାନ କରାଯାଇଛି। ପ୍ରକଳ୍ପ ପାଇଁ ଋଣ ଓ ଇକ୍ୱିଟି ଅନୁପାତ ୮୦:୨୦ ରହିବ। ଏଥିରେ ଜମି ଅଧିଗ୍ରହଣ, ପରାମର୍ଶ ଶୁଳ୍କ ଓ ନିର୍ମାଣ ସମ୍ପର୍କିତ ଅନ୍ୟାନ୍ୟ ଖର୍ଚ୍ଚ ସାମିଲ ରହିଛି।
ତେବେ କିଭଳି କାମ କରିବ ଏହି ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ?
ବିଦ୍ୟୁତ୍ ଚାହିଦା କମ୍ ଥିବା ସମୟରେ ଅତିରିକ୍ତ ବିଦ୍ୟୁତ୍ ବ୍ୟବହାର କରି ପାଣିକୁ ଉଚ୍ଚ ସ୍ଥାନରେ ଥିବା ଜଳଭଣ୍ଡାରକୁ ପମ୍ପ କରାଯିବ। ଆଉ ଯେତେବେଳେ ବିଦ୍ୟୁତ୍ ଚାହିଦା ବଢ଼ିବ, ସେତେବେଳେ ସେହି ପାଣିକୁ ତଳକୁ ଛାଡ଼ି ଟର୍ବାଇନ୍ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରାଯିବ। ଫଳରେ ସୌର ଓ ପବନ ଶକ୍ତିର ଉପଯୋଗ ଅଧିକ ପ୍ରଭାବଶାଳୀ ହେବା ସହ ବିଦ୍ୟୁତ୍ ଗ୍ରୀଡ୍ର ସ୍ଥିରତା ବଜାୟ ରଖିବାରେ ଏହା ସହାୟକ ହେବ। ଏହି ପ୍ରକଳ୍ପକୁ ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଶକ୍ତି ସୁରକ୍ଷା ସୁଦୃଢ଼ ହେବା ସହ ଶିଳ୍ପ କ୍ଷେତ୍ରକୁ ମଧ୍ୟ ଏହାର ସୁଫଳ ମିଳିପାରିବ।
