ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଲୋକଙ୍କ ଜୀବନ ରକ୍ଷା ଏବଂ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ପ୍ରସ୍ତୁତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି।
ଗର୍ଭବତୀଙ୍କ ସୁରକ୍ଷାକୁ ପ୍ରାଥମିକତା
ବାତ୍ୟା ସମୟରେ ଜରୁରୀକାଳୀନ ଚିକିତ୍ସା ସେବାରେ ଯେପରି ବାଧା ନ ଉପୁଜେ, ସେଥିପାଇଁ ଗର୍ଭବତୀ ମହିଳାଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାର ସମ୍ଭାବନା ଥିବା ୨୩୪ ଜଣ ମହିଳାଙ୍କୁ ମାଆ ଗୃହ ଓ ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୭୩ ଜଣ ମହିଳାଙ୍କ ପ୍ରସବ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି। ନବଜାତ ଶିଶୁମାନେ ସୁସ୍ଥ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ବର୍ଷା ଓ ନଦୀ ଜଳସ୍ତର ଉପରେ ନଜର
ଜିଲ୍ଲାରେ ୨୭ ତାରିଖ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ହାରାହାରି ୮.୦୫ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଗୁଣୁପୁର ବ୍ଲକରେ ସର୍ବାଧିକ ୨୪.୭ ମିଲିମିଟର ବର୍ଷା ହୋଇଥିଲା।
ଅନ୍ୟପଟେ ନାଗାବଳୀ ଓ ବଂଶଧାରା ନଦୀର ଜଳସ୍ତର ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି। ଉପଲବ୍ଧ ରିପୋର୍ଟ ଅନୁଯାୟୀ, ଗୁଣୁପୁରଠାରେ ବଂଶଧାରା ନଦୀର ଜଳସ୍ତର ୮୦.୫୧ ମିଟର ଥିବାବେଳେ ବିପଦ ସଙ୍କେତ ୮୩ ମିଟର ରହିଛି। ନାଗାବଳୀ ନଦୀର ଜଳସ୍ତର ୧୫୨.୫୬ ମିଟର ରେକର୍ଡ କରାଯାଇଥିଲା।
ଗାଁରୁ ଲୋକଙ୍କୁ ସ୍ଥାନାନ୍ତର, ଉଦ୍ଧାରକାରୀ ଦଳ ପ୍ରସ୍ତୁତ
ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ପଦ୍ମପୁର ବ୍ଲକର ଡେରିଗାଁ ପଞ୍ଚାୟତ ଅନ୍ତର୍ଗତ ମୁଟୁକୁଣି ଗାଁରୁ ପ୍ରାୟ ୪୬ରୁ ୪୮ ଜଣଙ୍କୁ ଜୟପଙ୍ଗା ହାଇସ୍କୁଲକୁ ନିଆଯାଇଛି। ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଲେ ଗୁଣୁପୁର ଅଞ୍ଚଳର ଅନ୍ୟ କିଛି ଗାଁରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରିବାର ଯୋଜନା ରହିଛି।
ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାରେ ୩ଟି ଓଡ୍ରାଫ୍ ଟିମ୍, ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ଏବଂ ୧୧ଟି ଅଗ୍ନିଶମ ବାହିନୀକୁ ଆବଶ୍ୟକ ଉପକରଣ ସହ ପ୍ରସ୍ତୁତ ରଖାଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ରାୟଗଡ଼ା ଓ କୋଲନରା ଭଳି ଅଞ୍ଚଳରେ ରାସ୍ତା ଅବରୋଧ ହଟାଇବା ପାଇଁ ଜେସିବି ମେସିନ୍ ମଧ୍ୟ ମୁତୟନ କରାଯାଇଛି।
ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା
ବାତ୍ୟା ମୁକାବିଲା ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ମଙ୍ଗଳବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାୟଗଡ଼ା ଗସ୍ତ କରିଥିଲେ। ଏହି ଅବସରରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିବା ସହ ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ।
ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ମଧ୍ୟ ପ୍ରଶାସନ ବ୍ୟବସ୍ଥା କରିଛି। ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ଗୋଖାଦ୍ୟ ମହଜୁଦ ରଖାଯାଇଛି। ଆବଶ୍ୟକ ପଡ଼ିଲେ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯିବ।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆଖି ଆଗରେ ରଖି ଜିଲ୍ଲାରେ ଉଦ୍ଧାର, ଥଇଥାନ ଓ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରଖାଯାଇଛି। ଲୋକଙ୍କ ସୁରକ୍ଷା ସହ କୌଣସି ଜୀବନହାନି ନ ହେବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେଉଛି।
