Home » Blog » ଆଜିଠୁ କାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼, କୁମାର ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ନୀତି

ଆଜିଠୁ କାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼, କୁମାର ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ନୀତି

by Lokanath Panigrahi
0 comments

ପୁରୀ: ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆଜିଠାରୁ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ପାଳନ ଆରମ୍ଭ କରୁଥିବାରୁ ପୁରୀର ବିଭିନ୍ନ ମଠ, ଆଶ୍ରମ ଓ ସରକାରୀ ହବିଷ୍ୟାଳୀ ଶିବିରରେ ଭିଡ଼ ଦେଖିବାକୁ ମିଳିଛି। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ଧର୍ମକର୍ମ ଓ ପୂଜାପାଠରେ ଏକ ମାସ ବିତାଇବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମହିଳାମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି।

ଚଳିତବର୍ଷ ସରକାରୀ ବ୍ୟବସ୍ଥାରେ ମୋଟ ୨,୫୦୦ ହବିଷ୍ୟାଳୀଙ୍କ ପଞ୍ଜୀକରଣ କରାଯାଇଛି। ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସ, ରେଳ ବିଭାଗର ପର୍ଯ୍ୟଟକ ରହଣି କେନ୍ଦ୍ର ଏବଂ ମହାନଗର କଲ୍ୟାଣୀ ମଣ୍ଡପରେ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ତେବେ ପଞ୍ଜୀକରଣ କରିନଥିବା କିଛି ହବିଷ୍ୟାଳୀ ମଧ୍ୟ ପୁରୀରେ ପହଞ୍ଚିଥିବାରୁ ସେମାନଙ୍କ ରହଣି ବ୍ୟବସ୍ଥା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ପ୍ରଥମେ ପଞ୍ଜୀକୃତ ବ୍ରତଧାରୀଙ୍କ ରହଣି ସୁନିଶ୍ଚିତ କରିବା ପରେ ଖାଲି ସ୍ଥାନ ଥିଲେ ଅନ୍ୟମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

ହବିଷ୍ୟାଳୀଙ୍କ ପାଇଁ ଦର୍ଶନ ଓ ସ୍ୱାସ୍ଥ୍ୟସେବା

ବ୍ରତଧାରୀଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ, ମହାପ୍ରସାଦ ସେବନ ଏବଂ ଏକାଦଶୀରେ ଫଳ ବଣ୍ଟନ ଭଳି ବ୍ୟବସ୍ଥା କରାଯାଇଛି। ମନ୍ଦିରର ନୀତିକାନ୍ତି ଶୀଘ୍ର ସମ୍ପନ୍ନ କରି ହବିଷ୍ୟାଳୀଙ୍କ ଦର୍ଶନକୁ ସୁଗମ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସେହିପରି ଶିବିରଗୁଡ଼ିକରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ, ସମୁଦ୍ରକୂଳରେ ବାଲୁକା ପୂଜା ଏବଂ ଶିବିରରୁ ଶ୍ରୀମନ୍ଦିର ଯାତାୟାତ ସମୟରେ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ଉପରେ ପୁଲିସ ନଜର ରଖିବ। ପଞ୍ଚୁକ ସମୟରେ ଅଧିକ ଭିଡ଼ ହେବାର ଆଶଙ୍କା ଥିବାରୁ ସେହି ଅନୁସାରେ ଅତିରିକ୍ତ ବ୍ୟବସ୍ଥା କରାଯିବ।

କୁମାର ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି

କାର୍ତ୍ତିକ ବ୍ରତ ଆରମ୍ଭ ସହିତ କୁମାର ପୂର୍ଣ୍ଣିମା ପାଇଁ ମଧ୍ୟ ଶ୍ରୀକ୍ଷେତ୍ରରେ ଧାର୍ମିକ ଉତ୍ସାହ ବଢ଼ିଛି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଶ୍ରୀସୁଦର୍ଶନ ଚଉଦୋଳରେ ଶ୍ରୀକ୍ଷେତ୍ରର ଚାରି ଆଶ୍ରମକୁ ବିଜେ କରିବେ। ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି ସମ୍ପନ୍ନ ହେବ।

ରାତିରେ ବଡ଼ସିଂହାର ଭୋଗ ପରେ ମହାପ୍ରଭୁ ଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ପାରମ୍ପରିକ ଦ୍ୟୂତକ୍ରୀଡ଼ା ବା ପଶା-କଉଡ଼ି ଖେଳ ଅନୁଷ୍ଠିତ ହେବ। ଏହି ନୀତିରେ ମହାପ୍ରଭୁଙ୍କ ପକ୍ଷରୁ ମୁଦିରସ୍ତ ଏବଂ ମା’ ମହାଲକ୍ଷ୍ମୀଙ୍କ ପକ୍ଷରୁ ଭିତରଚ୍ଛ ମହାପାତ୍ର ପ୍ରତିନିଧି ଭାବେ ଅଂଶଗ୍ରହଣ କରିବେ। ଏଥିରେ ୨୧ଟି ହିଙ୍ଗୁଳ କଉଡ଼ି ଓ ୨୧ଟି ରୂପା କଉଡ଼ି ବ୍ୟବହାର କରାଯିବାର ପରମ୍ପରା ରହିଛି।

ପରମ୍ପରା ଅନୁଯାୟୀ, ଏହି ଖେଳରେ ମହାପ୍ରଭୁ ପରାଜିତ ହେବା ପରେ ତାଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତ ଦିନ ପର୍ଯ୍ୟନ୍ତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରେ ରହିବେ। ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ଶ୍ରୀମାଧବ ପୁନର୍ବାର ରତ୍ନସିଂହାସନକୁ ଫେରିବାର ବିଧି ରହିଛି।

କାର୍ତ୍ତିକ ମାସରେ ଏକ ମାସ ଧରି ହବିଷ୍ୟାଳୀଙ୍କ ରହଣି, ଦର୍ଶନ ଓ ଧାର୍ମିକ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଓ ପୁଲିସ ପକ୍ଷରୁ ସମନ୍ୱିତ ପ୍ରସ୍ତୁତି ଗ୍ରହଣ କରାଯାଇଛି।

You may also like

Leave a Comment